ବିଜେଡିକୁ ଶକ୍ତ ଧକ୍କା

ବିଜେଡିକୁ ଶକ୍ତ ଧକ୍କା। । ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର । ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଲେ ସୂଚନା।

ନିର୍ବାଚନ ପୂର୍ବରୁ ବିଜେଡିକୁ ଆଉ ଏକ ଝଟ୍‌କା ଲାଗିଛି। କିଛି ଦିନ ଧରି ଦଳ ଡିଆଁ ପର୍ବ ଚାଲିଥିବା ବେଳେ ଏହାରି ଭିତରେ ଇସ୍ତଫା ଦେଇଛନ୍ତି ସମୀର। ବିଜେଡିର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ସମୀର ରଞ୍ଜନ ଦାଶ । ସେ ଏଥର ନିମାପଡାରୁ ଟିକେଟ୍ ଆଶାୟୀ ଥିଲେ। ମାତ୍ର ଏଥର ତାଙ୍କର ଟିକେଟ୍ କାଟିଥିଲା ବିଜେଡି । ଯାହାକୁ ନେଇ ସେ ଅନସ୍ତୁଷ୍ଟ ଥିଲେ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାରମ୍ବାର ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ। ମାତ୍ର ଦଳ ଏହାର ପୁନର୍ବିଚାର କରିନଥିଲା।

ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାଶ। ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଛନ୍ତି। ଗୋପ ବିଜେଡି ସଂଗଠନ ଉପରେ ବି ଆସ୍ଥା ହରାଇଛନ୍ତି । ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍‌ ନୁହଁ ବୋଲି କହିଛନ୍ତି ସମୀର। ତେଣୁ ଦଳ ଛାଡ଼ିଲି।

ବିଜେଡି ଟିକେଟ୍‌ରୁ ନିର୍ବାଚନ ଲଢି ନିମାପଡ଼ାରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସମୀର । ପ୍ରଥମ ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ନିମାପଡାରୁ ସମୀର ରଞ୍ଜନ ଦାସଙ୍କ ଟିକେଟ୍‌ କାଟିଥିଲା ବିଜେଡି । ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କୁ ସୁଯୋଗ ଦେଇଛି ବିଜେଡି। ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିଲେ।

ତିନି ଦଶନ୍ଧି ଧରି ବିଜୁ ଜନତା ଦଳ ସହିତ ଥିବା ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ଶେଷରେ ଦଳ ଛାଡିଛନ୍ତି । ନିକଟରେ ବିଜେଡି ଛାଡି ବିଜେପି ଯିବା ନେଇ ଚର୍ଚ୍ଚା ହେଉଥିଲା ।