ଗୋପାଳିଆ ବଡ଼ କପାଳିଆ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ ଭୁଲିଗଲେଣି? ମାତ୍ର ମିଡିଆ ତାଙ୍କର ପ୍ରତିଟି ଖବର ଉପରେ ନଜର ରଖିଛି । ଆୟ ବହିର୍ଭୂତ ସଂପତି ଠୁଳ କରିଥିବାରୁ ଗିରଫ ହେବା ମାତ୍ରେ ଅତିରିକ୍ତ ଉପଜିଲ୍ଲାପାଳ ପଦବୀରୁ ତଡ଼ା ଖାଇଲେ ପ୍ରଶାନ୍ତ ରାଉତ । ମାତ୍ର ନବକିଶୋର ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହେବା ସତ୍ୱେ ଅଭିଯୁକ୍ତ ପୁଲିସ ଅଧିକାରୀ ଗୋପାଳ ଦାସ ଚାକିରିରୁ ତଡ଼ା ଖାଇନାହାନ୍ତି ।

ଭାବନ୍ତୁ, କେଡେ଼ କପାଳିଆ ସତେ ଗୋପାଳ ଦାସ । ଚାକିରିରୁ ନିଲମ୍ବିତ କରାଯାଇଛି ଅର୍ଥାତ୍‌ ପରିବାରକୁ ଯାଉଛି ଅଧା ଦରମା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୟାରୁ ସରକାରୀ ଭାତଡାଲମା ଖାଇ ଜେଲରେ ସୁରକ୍ଷିତ ଅଛନ୍ତି ହତ୍ୟା ଅଭିଯୁକ୍ତ ଗୋପାଳ ଦାସ । ବାହାରେ ବୁଲୁଥିଲେ ଯେକୌଣସି ସମୟରେ ନବକିଶୋରଙ୍କ ଅନୁଗତଙ୍କ ହାତରୁ ଗୁଳିଚୋଟ ଖାଇବାର ଅଜଣା ଭୟ ଗୋପାଳ ଦାସଙ୍କୁ ଚିନ୍ତାରେ ପକାଇଥାନ୍ତା । ଜେଲରେ ଥିବାରୁ ଗୋପାଳିଆଙ୍କ ମନରେ ଡରଭୟ କିଛି ନାହିଁ ।

ଖାସ ସେଇଥିପାଇଁ ଚୌଦ୍ୱାର ଜେଲରେ ପ୍ରବେଶ କରିବା ପୂର୍ବରୁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ଗୋପାଳ । ମା’ ଚୌଦ୍ୱାର ଜେଲ, ତୋ ଗର୍ଭରେ ମୁଁ ସୁରକ୍ଷିତ ରହିବାର ଆଶୀର୍ବାଦ କାମନା କରୁଛି । ସରକାରୀ ଅତିଥି ହେବାର ଗୌରବ ପାଇ ଗୋପାଳ ଦାସ ନିଜକୁ ଭାଗ୍ୟବାନ ମଣୁଛନ୍ତି । କେତେବେଳେ ଯଦି ପାଣ୍ଡିଆନ ଅବା ନବୀନବାବୁଙ୍କ ମୁଣ୍ଡକୁ ପିତ ଚଢ଼ିଯିବ, ବିଚରା ଗ୍ୟାଙ୍ଗଷ୍ଟର ହାଇଦର ଭଳି ଅକାଳରେ ଝଡ଼ିଯିବ ।