160×600
160×600

ଘନଉଛି ପୁଟିନ-ପ୍ରିଗୋଜିନ ଲଢେ଼ଇ

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ କ୍ଷମତାରୁ ହଟାଇବା ପାଇଁ ପୁଟିନଙ୍କ ହାତଗଢ଼ା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଜିନ ପ୍ରାଣପଣେ ଲାଗିଛନ୍ତି । ପୁଟିନଙ୍କୁ ହଟାଇବା ସହଜ ନୁହେଁ, ସେ କଥା ଭଲ ରକମର ଜାଣିଛନ୍ତି ପ୍ରିଗୋଜିନ । ପୁଟିନଙ୍କ ପାଖେ ପାଖେ ରହି ପ୍ରିଗୋଜିନ ତାଙ୍କର ସବୁ ଦୁର୍ବଳତାକୁ ପଢ଼ି ସାରିଛନ୍ତି । ରୁଷିଆର ସେନାବାହିନୀ ଏବେ ମଧ୍ୟ ପୁଟିନଙ୍କ ହାତରେ ରହିଛି । ଯେକୌଣସି ସମୟରେ ୱାଗନରକୁ ମାଟିରେ ମିଶାଇଦେବାର ଶକ୍ତି ରୁଷିଆ ସେନା ପାଖରେ ରହିଛି ।

ମାତ୍ର ସାମାନ୍ୟ କତୁରୀରେ ଯୋଉ କାମ ହୋଇଯିବ, ତାକୁ କାଟିବା ପାଇଁ ଖଣ୍ଡାର ଆବଶ୍ୟକତା ଦରକାର ନାହିଁ ବୋଲି ପୁଟିନ ବିଚାର କରୁଥିବାରୁ ପ୍ରିଗୋଜିନ ଏତେଦିନ ଯାଏ ତିଷ୍ଠି ରହିଛନ୍ତି । ଛୋଟ ଅପରାଧରେ ଦୋଷୀ ପ୍ରମାଣିତ ହୋଇ ଜେଲଦଣ୍ଡ ଭୋଗି ସାରିବା ପରେ ପ୍ରିଗୋଜିନ ସମାଜର ମୁଖ୍ୟସ୍ରୋତକୁ ଫେରିଥିଲେ । ପୁଟିନଙ୍କ ଅନୁକମ୍ପା ପାଇ ୱାଗନର ମୁଖ୍ୟ ହେବାପରେ ପ୍ରିଗୋଜିନଙ୍କ କ୍ଷମତା ଲାଳସା ତାଙ୍କୁ ପୁଟିନଙ୍କ ବିରୋଧୀ ରୂପେ ସଜାଇଛି ।

ରୁଷିଆରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ପାଇଁ ଆନ୍ତର୍ଜାତିକ ସ୍ତରରୁ ଉଦ୍ୟମ ଚାଲିଛି । ରୁଷିଆର ରାଜନୈତିକ ଅସ୍ଥିରତା ୟୁକ୍ରେନକୁ ସୁହାଇବ । ପୁଟିନଙ୍କୁ ସିଧାସଳଖ ଚାଲେଂଜ କରିବା ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷେ ସମ୍ଭବ ନୁହେଁ ।
ସାରାବିଶ୍ୱ ଏବେ କମ୍ୟୁନିଷ୍ଟ ଓ ଗଣତାନ୍ତ୍ରିକ ବିଚାରଧାରା ଉପରେ ନିର୍ଭରଶୀଳ । ଏହି ଦୁଇ ବିଚାରଧାରା ମଧ୍ୟରୁ କୋଉଟା ଠିକ ତାହା ଏବେସୁଦ୍ଧା ନିର୍ଣ୍ଣାୟକ ମୋଡ଼ ନେଇପାରିନି ।

ଚୀନ ଓ ରୁଷିଆରେ କମ୍ୟୁନିଷ୍ଟ ଶାସନ ଚାଲିଛି; ମାତ୍ର ସେଠାକାର ଲୋକମାନେ ଏକପ୍ରକାର ବନ୍ଦୀ ଜୀବନଯାପନ କରୁଛନ୍ତି । ଲୋକଙ୍କ ମନପସନ୍ଦର ସରକାର ସେଠାରେ ଶାସନ କରୁନି । ଏକ ନିର୍ଦ୍ଧିଷ୍ଟ ଦଳର ବିଚାରଧାରାକୁ ଲୋକଙ୍କ ଉପରେ ଲଦି ଦିଆଯାଉଛି । ଏପରିକି ବିରୋଧୀ ଦଳକୁ ମଧ୍ୟ ନିଷ୍କ୍ରିୟ କରି ଦିଆଯାଉଛି । ଏ ପ୍ରକାର ବିଚାରଧାରା ଆଦୌ ଗ୍ରହଣୀୟ ନୁହେଁ ।

ଦୁର୍ବଳ ଉପରେ ସବଳର ଅତ୍ୟାଚାର ପଶୁଜଗତରେ ସମ୍ଭବ, ମଣିଷ ଗୋଟିଏ ସାମାଜିକ ପ୍ରାଣୀ, ତା’ର ମସ୍ତିଷ୍କ ଉନ୍ନତ ମାନର ହୋଇଥିବାରୁ ସମଗ୍ର ପଶୁଜଗତକୁ ପରିଚାଳନା କରିବାର ଦାୟିତ୍ୱ ମୁଣ୍ଡାଇଛି । ଦୁର୍ବଳକୁ ଦୟା, କ୍ଷମା, ପ୍ରେମ ବଳରେ ଜିତିବା ସବଳର ଧର୍ମ । ଦୁର୍ବଳକୁ ନାଲିଆଖି ଦେଖାଇ ଶାସନ କରିବା ସମୟ ଚାଲିଯାଇଛି ।