ASP ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଏଏସପି ତ୍ରିନାଥ ମିଶ୍ରଙ୍କୁ ଜାମିନ୍ ମିଳିଛି । ଦୁଇ ମାସ ମଧ୍ୟରେ ତଦନ୍ତକାରୀ ଅଧିକାରୀ ତ୍ରିନାଥଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହୋଇଥିଲା । ଫଳରେ ତ୍ରିନାଥଙ୍କୁ ଭିଜିଲାନ୍ସ କୋର୍ଟ ପକ୍ଷରୁ ଜାମିନ୍ ପ୍ରଦାନ କରାଯାଇଛି । ଦୁଇ ଜାମିନଦାର ଓ ୫୦ ହଜାର ଟଙ୍କାର ମୁଚାଲିକାରେ ତାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୧୬ ତାରିଖରେ ଭିଜିଲାନ୍ସ ତ୍ରିନାଥଙ୍କୁ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା । ତ୍ରିନାଥ ଓ ତାଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀଙ୍କ ନାମରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଜବତ କରିଥିଲା । ଗତ ମାର୍ଚ୍ଚ ୮ ତାରିଖରେ ଦୀପ୍ତିମୟୀଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ୍ ମିଳିଯାଇଥିଲା । ସେହିପରି ତ୍ରିନାଥ ମଧ୍ୟ ଜାମିନ ପାଇଁ ଭିଜିଲାନ୍ସ କୋର୍ଟରେ ଆବେଦନ କରିଥିଲେ ।