ବାଲେଶ୍ୱରରେ କିଏ ମାରିବ ବାଜି?

ଜୁନ ୧ରେ ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନରେ ୬ ଲୋକସଭା ୪୨ ବିଧାନସଭା ଆସନ ପାଇଁ ହେବ ଭୋଟିଂ । ଏହି ପର୍ଯ୍ୟାୟରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପଡିବ ଭୋଟ । ଏଥର ବାଲେଶ୍ୱର ବାଜିରେ କାହାର ହେବ ବାଜିମାତ ।

ବାଲେଶ୍ୱରରୁ କିଏ ଯିବ ଲୋକସଭା । ପତିଆରା ଲଢେଇରେ କେଉଁ ନେତା ରହିବେ ଆଗରେ । ପ୍ରତାପ, ଶ୍ରୀକାନ୍ତ ନା ଲେଖାଶ୍ରୀ । ବାଲେଶ୍ୱର ରାଜନୀତିରେ ଏହି ୩ଜଣ ହେଉଛନ୍ତି ବଡ଼ ଚେହେରା ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ନିଜସ୍ୱ ଢଙ୍ଗରେ ଦଳ ଜିଲ୍ଲା ସଂଙ୍ଗଠନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଛନ୍ତି । ସେପଟେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର । ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତୁଳନୀୟ ପ୍ରତିଷ୍ଠା ଓ ବ୍ୟାପକ ବିକାଶ ଉପରେ କରୁଛନ୍ତି ପ୍ରଚାର । ନିର୍ବାଚନ ପ୍ରଚାର ଚରମସୀମାରେ ଥିବାବେଳେ ବିତର୍କ ଓ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରି ବିଜେଡିର ପ୍ରମୁଖ ଚେହେରା ଭାବେ ଉଭା ହୋଇଛନ୍ତି ଲେଖାଶ୍ରୀ । ସେ ଜୋରଦାର ପ୍ରଚାର କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷୂଛନ୍ତି ।

ଅନ୍ୟପଟେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କଂଗ୍ରେସ ଟିକେଟରେ କରୁଛନ୍ତି ପ୍ରତିଦ୍ୱନନ୍ଦିତା । ଶ୍ରୀକାନ୍ତ ଜେନାଙ୍କ ରାଜନୈତିକ ପୃଷ୍ଠବୂମି ମଧ୍ୟରେ ଓଡ଼ିଶାରେ କଂଗ୍ରେସ ଦଳର ସାଂସଦ ଭାବରେ କାର୍ଯ୍ୟ କରିବା ସହିତ ଦଳ ଭିତରେ ବିଭିନ୍ନ ପଦ ପଦବୀରେ ରହିଆସିଛନ୍ତି ।

ରାଜ୍ୟ ଓ ଜାତୀୟ ସ୍ତରରେ ଶ୍ରୀକାନ୍ତଙ୍କ ଅଭିଜ୍ଞତା ସମ୍ଭବତଃ ଦୀର୍ଘ କାଳିନ କଂଗ୍ରେସ ସମର୍ଥକ ମାନଙ୍କୁ ଆକୃଷ୍ଠ କରିପାରେ ବୋଲି କୁହାଯାଉଛି । ଶ୍ରୀକାନ୍ତ ଜେନା ତାଙ୍କ ପୂର୍ବ କାର୍ଯ୍ୟକାଳରେ ବାଲେଶ୍ୱରରେ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ ତାହା ତାଙ୍କ ବିଜୟରେ ସହାୟକ ହେବ ବୋଲି ମଧ୍ୟ ସେ ବିଶ୍ୱାସ କରୁଛନ୍ତି ତେବେ ଏବେ ଭୋଟର କାହା ଉପରେ କରିବେ ଭରଷା ତାହା ଦେଖିବାକୁ ଅପେକ୍ଷା ।