ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆସନ୍ତା ୨୧ ଏବଂ କଟକରେ ୨୨ ତାରିଖ ଦିନ ପୂର୍ବାହ୍ନ ୧୧ଟା ୪୩ ମିନିଟରେ ଶୂନ୍ୟଛାୟା ଘଟିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଛାଇ ସଦାବେଳେ ଆମ ସାଙ୍ଗରେ ରହିଥାଏ। ଯେତେବେଳ ପର୍ଯ୍ୟନ୍ତ ଆମେ ଖରାରେ ବା ଆଲୋକରେ ଥିବା ସେ ଯାଏଁ ଛାଇ ଆମ ପିଛା ଛାଡ଼ିବ ନାହିଁ; କିନ୍ତୁ ମଜାର କଥା ହେଲା ଯେ ଏହି ଉକ୍ତିଟି ଠିକ୍ ନୁହେଁ ବୋଲି ଜ୍ୟୋତିର୍ବିଜ୍ଞାନୀ କୁହନ୍ତି। ବର୍ଷରେ ଏପରି ଦୁଇଟି ଦିନ ଅଛି ଯେବେ ଦିନ ଦ୍ବିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଆମର ପିଛା ଛାଡ଼ିଦିଏ, ଅର୍ଥାତ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ। ଏହାର କାରଣ ହେଲା, ବର୍ଷର ସେହି ଦୁଇଟି ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରହିଥାଏ। ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ। ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ରୂପେ ନାମିତ କରିଛନ୍ତି।