ଚେଲ୍ଲାକୁମାରଙ୍କୁ ଓଡ଼ିଶା, ଭକ୍ତଙ୍କୁ ମଣିପୁର ଦାୟିତ୍ୱ

ଭୁବନେଶ୍ୱର(ଏସ୍ ନ୍ୟୁଜ): ସାଂଗଠନିକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ କରିଛି ଏଆଇସିସି। ଏହି କ୍ରମରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ସାଂସଦ ଡ. ଚେଲ୍ଲାକୁମାରଙ୍କୁ ଓଡ଼ିଶା ଦାୟିତ୍ୱ ମିଳିଛି। ସେହିଭଳି ରାଜ୍ୟରୁ ଏକମାତ୍ର ନେତା ଭାବେ ଭକ୍ତଚରଣ ଦାସ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କୁ ମଣିପୁର ଓ ମିଜୋରାମ ପ୍ରଭାରୀ ନିଯୁକ୍ତ କରିଛନ୍ତି ସୋନିଆ ଗାନ୍ଧୀ। ପୂର୍ବରୁ ଓଡ଼ିଶାରୁ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ଦଳର କାର୍ଯ୍ୟକାରୀ କମିଟିରେ ରହିଥିଲେ। ନୂଆ ତାଲିକାରେ ତାଙ୍କୁ ବାଦ ଦିଆଯାଇଛି। ସେହିଭଳି ଓଡ଼ିଶା କଂଗ୍ରେସ ପ୍ରଭାରୀ ଥିବା ଡ. ଜିତେନ୍ଦ୍ର ସିଂ ଦଳର ଆସାମ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଅନ୍ୟପଟେ ଗୁଲାମ୍ ନବୀ ଆଜାଦ, ମଲ୍ଲିକାର୍ଜୁନ ଖଡଗେ, ମୋତିଲାଲ ଭୋରା, ଅମ୍ବିକା ସୋନିଙ୍କ ପରି ବରିଷ୍ଠ ନେତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦରୁ କାଢ଼ି ଦିଆଯାଇଛି।

ସେହିଭଳି ଦଳର ଜାତୀୟ ମୁଖପାତ୍ର ଥିବା ରଣଦୀପ ସିଂ ସୁର୍ଜେୱାଲାଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କୁ କର୍ଣ୍ଣାଟକ ଦାୟିତ୍ୱ ମିଳିଛି। ସେ ମଧ୍ୟ କଂଗ୍ରେସ ସଭାପତିଙ୍କୁ ପରାମର୍ଶ ଦେବାକୁ ଗଠିତ ହୋଇଥିବା ୬ ଜଣିଆ କମିଟିରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ଅଜୟ ମାକେନ ଏବଂ ଜିତିନ୍ ପ୍ରସାଦଙ୍କୁ ସାଧାରଣ ସଂପାଦକ ନିଯୁକ୍ତ କରାଯାଇ ଯଥାକ୍ରମେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ପୂର୍ବଭଳି କେସି ବେଣୁଗୋପାଳ ସାଧାରଣ ସମ୍ପାଦକ(ସଂଗଠନ) ପଦବୀ ବଜାୟ ରଖିଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ଦଳର ଲଜ୍ଜାଜନକ ପ୍ରଦର୍ଶନ ପରେ ବହୁ ବରିଷ୍ଠ ନେତା ସାଂଗଠନିକ ପରିବର୍ତ୍ତନ ନେଇ ଯୁକ୍ତି ବାଢ଼ିଥିଲେ। ଏପରିକି କିଛି ଦିନ ପୂର୍ବରୁ ଦଳର ୨୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନେତା ଏ ବାବଦରେ ସୋନିଆଙ୍କୁ ପତ୍ର ଲେଖିଥିଲେ। ବୈଠକରେ ବିଜେପି ପ୍ରରୋଚନାରେ ଏହି ପତ୍ର ଲେଖାଯାଇଥିବା ନେଇ ଆକ୍ଷେପ କରିଥିଲେ ରାହୁଲ ଗାନ୍ଧୀ। ତେବେ ନୂଆ ପଦ ପଦବୀରେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ଥିବା ନେତାମାନଙ୍କୁ ଅଧିକ ସୁଯୋଗ ମିଳିଛି।