ଜେଇ ମେନ୍ ଫଳ ପ୍ରକାଶ‌, ସୌରଭ ଓଡ଼ିଶା ଟପ୍ପର

ଭୁବନେଶ୍ୱେର(ଏସ୍ ନ୍ୟୁଜ): ଆଜି ଜେଇ ମେନ୍‌ ପରୀକ୍ଷାଫଳ ପ୍ରକାଶ ପାଇଛି। ଓଡ଼ିଶାରୁ ପ୍ରାୟ ୨୭ ହଜାର ଛାତ୍ରଛାତ୍ରୀ ଚଳିତ ବର୍ଷ ଏହି ପରୀକ୍ଷା ଦେଇଥିଲେ। ୯୯.୯୯ ପ୍ରତିଶତ ମାର୍କ ରଖି ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି।

ମୋଟ ୨୪ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ତେଲେଙ୍ଗାନାରୁ ସର୍ବାଧିକ ୮ ଜଣ ପରୀକ୍ଷାର୍ଥୀ ଏହି ୨୪ ଜଣଙ୍କ ମଧ୍ୟରେ ରହିଛନ୍ତି। ସେହିଭଳି ଦ୍ୱିତୀୟ ସର୍ବାଧିକ ଭାବେ ଦିଲ୍ଲୀରୁ ୫ ଜଣ, ରାଜସ୍ଥାନରୁ ୪, ଆନ୍ଧ୍ର ପ୍ରଦେଶରୁ ୩, ହରିୟାଣାରୁ ୨ ଏବଂ ଗୁଜୁରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି।

ଜେଇଇ ମେନ୍‌ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରେଷ୍ଠ ୨.୫ ଲକ୍ଷ ଛାତ୍ରଛାତ୍ରୀ ଜେଇ ଆଡଭାନ୍ସ ଦେବାକୁ ମନୋନୀତ ହୋଇଛନ୍ତି। ଜେଇଇ ଆଡଭାନ୍ସ ପାଇଁ ସେପ୍ଟେମ୍ବର ୧୨ରୁ ଅର୍ଥାତ ଆଜିଠାରୁ ଆବେଦନ ଫର୍ମ ଉପଲବ୍ଧ ହେବ। ଏହି ପରୀକ୍ଷାରେ ସଫଳ ହେଲ ଯାଇ ସଫଳ ଛାତ୍ରଛାତ୍ରୀ ଦେଶର ପ୍ରମୁଖ ୨୩ଟି ଆଇଆଇଟିରେ ନାମ ଲେଖାଇପାରିବେ।

ସେପ୍ଟେମ୍ବର ୨୭ରେ ଜେଇ ଆଡଭାନ୍ସ ପରୀକ୍ଷା ହେବ ଏବଂ ପରୀକ୍ଷା ସମ୍ବଧୀୟ ସମସ୍ତ ତଥ୍ୟ ଜେଇ ମେନ୍‌ ୱେବ୍‌ସାଇଟରୁ ଛାତ୍ରଛାତ୍ରୀ ପାଇପାରିବେ। ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇ ମେନ୍‌ ପରୀକ୍ଷା ହୋଇଥିଲା ଏବଂ ଦେଶବ୍ୟାପୀ ୮.୫୮ ଲକ୍ଷ ଛାତ୍ରଛାତ୍ରୀ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍‌ରିୟାଲ୍ ଟ୍ୱିଟ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।