ବିଜେଡିର ଆତ୍ମବିଶ୍ୱାସ ନା ଭିତିରିଆ ଷଡ଼ଯନ୍ତ୍ର

ବିଜେଡି ଅଫିସରେ ଧାମନଗର ବିଜୟ ପାଳନ ପ୍ରସ୍ତୁତି….

ଭୁବନେଶ୍ୱର: ଧାମନଗର ଉପନିର୍ବାଚନର ଫଳାଫଳ ଘୋଷଣା କରାଯିବା ପୂର୍ବରୁ ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଧାମନଗର ବିଜୟ ପାଳନ ପାଇଁ ପ୍ରସ୍ତୁତି ଚାଲିଛି । କେତେ ଟଙ୍କାର ବାଣ କିଣାଯିବ, କେଉଁ କେଉଁ ରଥୀ ମହାରଥୀ ବିଜୟ ଉତ୍ସବରେ ଯୋଗଦେବେ । କେତେ ଟଙ୍କାର ମିଠା କିଣାଯିବ । କେତେ ଟଙ୍କାର ଫୁଲମାଳ କିଣାଯିବ । ବିଜୟ ଶୋଭାଯାତ୍ରାରେ କେତୋଟି ଗାଡ଼ି ସାମିଲ ହେବ । ସେ ସଂପର୍କରେ ବିସ୍ତାରିତ ତାଲିକା ତିଆରି ଚାଲିଛି ।

କଥା ହେଉଛି, ଆଜି ସକାଳୁ ଧାମନଗର ଭୋଟ ଗଣନା ଆରମ୍ଭ ହୋଇଛି । ଭୋଟ ଗଣନା ସରିବା ଓ ନିର୍ବାଚନ ଅଧିକାରୀଙ୍କ ମୁହଁରୁ ବିଜୟୀ ପ୍ରାର୍ଥୀଙ୍କ ନାମ ଶୁଣିବା ପାଇଁ ଆପାତତଃ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, ହେଲେ ବିଜେଡି ନିଜ ବିଜୟକୁ ନେଇ ଏତେମାତ୍ରାରେ ମସଗୁଲ ଯେ ସକାଳୁ ସକାଳୁ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଉଛି । ଧାମନଗର ଉପନିର୍ବାଚନର ଫଳାଫଳ ଉପରେ ବିଜେଡି, ବିଜେପି ଓ କଂଗ୍ରେସର ରାଜନୈତିକ ଭାଗ୍ୟ ନିର୍ଭରଶୀଳ ।

ବିଜେପିର ୪୦ ଜଣ କୁହାମୁଣ୍ଡା କପିଳା ପ୍ରଚାର କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି । ବିଜେଡି ନେତାଙ୍କର ପଂଚାୟତକୁ କୋଟିଏ ଟଙ୍କା ପୁରସ୍କାର ରାଶି ଘୋଷଣା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିବାର ଉଦ୍ୟମ ବହୁ ଅମୀମାଂସିତ ଅଧ୍ୟାୟକୁ ଜନ୍ମ ଦେଇଛି । ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଧାମନଗର ଉପନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ଧାମନଗରରେ କିଛି ଭୋଟର ୯୦ ପ୍ରତିଶତ ମତଦାନ ପୂର୍ବାନୁମାନ କରିଥିଲେ ।

ମାତ୍ର ମତଦାନ ହାର ୬୨ ପ୍ରତିଶତରୁ ସ।।ମାନ୍ୟ ଅଧିକ ରହିଲା । ସକାଳ ୮ଟାରୁ ୧୪ଟି ଟେବୁଲରେ ଭୋଟ ଗଣାଯାଉଛି । ୨୫୨ ବୁଥ ପାଇଁ ୧୮ ରାଉଣ୍ଡ ଗଣନା କରାଯିବ । ବିଜେପି ଧାମନଗର ଆସନଟିକୁ ଫେରିପାଇବ କି ନା’ । ବିଦ୍ରୋହୀ ପ୍ରାର୍ଥୀ ଠିଆ ହୋଇଥିଲେ ମଧ୍ୟ ବିଜେଡି ବିଜେପି ହାତରୁ ଆସନଟିକୁ ଛଡ଼ାଇ ନେବାକୁ ସକ୍ଷମ ହେବ କି ନା’ ।

ବିଜେଡି-ବିଜେପି କଳିରେ କଂଗ୍ରେସର ସ୍ଥିତି କୋଉଠି? ଏମିତି ଅନେକ ପ୍ରଶ୍ନର ପାହାଡ଼ ଉପରେ ଧାମନଗର ଉପନିର୍ବାଚନ ଠିଆ ହୋଇଛି । ଦିନ ସାଢେ଼ ୯ଟା ସୁଦ୍ଧା ବିଜେପି ପ୍ରଥମ ରାଉଣ୍ଡରେ ଆଗୁଆ ଥିବାର ସୂଚନା ମିଳିଛି ।