ସ୍ୱର୍ଗତ ଅଦୈତ ବାବୁ ବଂଚିଥିଲେ ନିନ୍ଦା କରିଥାନ୍ତେ – କାଳନ୍ଦୀ ସାମଲ
ଭୁବନେଶ୍ୱର,(ଏସ୍ ନ୍ୟୁଜ୍), ନଭେମ୍ବର ୨୧: ଅନୁଗୁଳରେ ଏକ ସଭାମଂଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଠାକୁର ବୋଲି ସମ୍ବୋଧନ କରିବା ଘଟଣାକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ।
ସେ କହିଛନ୍ତି ଯେ ଓଡ଼ିଶାର ସାଢେ ୪ କୋଟି ଜନସାଧାରଣଙ୍କ ଠାକୁର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରାଜ୍ୟରେ ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଲମ୍ବା ଶାସନରେ ବିକାଶ ହେଉନାହିଁ ଏବଂ ଆଇନଶୃଙ୍ଖଳା ବିଗିଡିଯାଇଛିି, ସେଭଳି ଜଣେ ବ୍ୟକ୍ତିଙ୍କୁ ଠାକୁର ବୋଲି ସମ୍ବୋଧନ କରିବା ନିନ୍ଦନୀୟ । ବିଧାୟକ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀଙ୍କ ଠାକୁର ବୋଲି ସମ୍ବୋଧନ କରି ଓଡ଼ିଶାର ଗାରିମାକୁ କ୍ଷୁର୍ଣ୍ଣ କରିଛନ୍ତି । ବିଧାୟକ ରଜନୀକାନ୍ତ ସିଂହ ଏହି ବକ୍ତବ୍ୟ ଆମ ଦେବାଦେବୀଙ୍କ ପ୍ରତି ଘୋର ଅପମାନ୍ । ତାଙ୍କର ଏହି ବକ୍ତବ୍ୟକୁ କେବଳ ଆମ ଓଡ଼ିଶାର ସାଢେ ୪ କୋଟି ଜନସାଧାରଣ ନୁହେଁ ବରଂ ତାଙ୍କର ପିତା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦୈତ ପ୍ରସାଦ ସିଂହ ବଂଚିଥିଲେ ମଧ୍ୟ ଏହାକୁ ନିନ୍ଦା କରିଥାନ୍ତେ ବୋଲି ଶ୍ରୀ ସାମଲ କହିଛନ୍ତି।
ବିଜେପି ସମ୍ପାଦକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ନୀରବତା ରହି ପରୋକ୍ଷ ଭାବରେ ସେ ଏହାକୁ ସମର୍ଥନ କରିଛନ୍ତି । ତେବେ ଲମ୍ବା ସମୟରେ ଶାସନରେ ମୁଖ୍ୟମନ୍ତ୍ରୀଙ୍କ ଅହଙ୍କାର ଚରମରେ ପହଁଚିଛି । ଧରାକୁ ସରା ମଣୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନିର୍ଦ୍ଦେଶ କ୍ରମରେ ହେଉ କିମ୍ବା ସେ ନିଜେ ଏଭଳି ବକ୍ତବ୍ୟ ଦେବାର ସତସାହାସ କେମିତି ହେଲା ବୋଲି ଓଡିଆବାସୀ ପ୍ରଶ୍ନ ପଚାରୁଛନ୍ତି । ସାଢେ଼ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ । ତାଙ୍କ ସ୍ଥାନ ନେବା ପାଇଁ ଶ୍ରୀ ସିଂହ ଯେଉଁ ଉଦ୍ୟମ କରିଛନ୍ତି, ତାହା ସମସ୍ତଙ୍କ ଭାବାବେଗକୁ ଆଘାତ ପହଁଚାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।