ସାର ବିକ୍ରିର କୁତ୍ରିମ ଅଭାବ ସୃଷ୍ଟି କରି ଚାଷୀ ଭାଇ ମାନଙ୍କ ମନରେ ବିଭ୍ରାନ୍ତ କରୁଛନ୍ତି ବିଜେଡ଼ି ସରକାର: ପ୍ରଦୀପ ପୁରୋହିତ

  • ନିଜେ ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା ନୀତି ଧରିଛନ୍ତି ରାଜ୍ୟ ସରକାର
  • ଓଡ଼ିଶାକୁ ଧାର୍ଯ୍ୟ ଆବଂଟିତ ସାର ପରିମାଣ ଠାରୁ ଅଧିକ ସାର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର
  • ରାଜ୍ୟ ସରକାରଙ୍କ ପାଖରେ ୧.୨୮ ଲକ୍ଷ ମେଟ୍ରିକ୍‌ ଟନ ୟୁରିଆ ମହଜୁଦ ରହିଛି
  • ୦.୪୫ ଲକ୍ଷ ମେଟ୍ରିକ୍‌ ଟନ ଡ଼ିଏପି, ୦.୪୬ ଲକ୍ଷ ମେଟ୍ରିକ୍‌ ଟନ ଏମଓପି ଏବଂ ୦.୮୭ ଲକ୍ଷ ମେଟ୍ରିକ୍‌ ଟନ ଏନପିକେଏସ ଏବେ ବି ରାଜ୍ୟରେ ଉପଲବ୍ଧ ରହିଛି

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟର ଆବଶ୍ୟକ ଅନୁଯାୟୀ ସାର ମହଜୁଦ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ମାନଙ୍କୁ ବିଭ୍ରାନ୍ତି କରିବା ପାଇଁ ଏକ ଚିଠି ଲେଖୁଛନ୍ତି ଏବଂ ଅନ୍ୟପଟେ ବିଜେଡ଼ି ଦଳର ସାଂସଦମାନେ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଦେଖା କରିଛନ୍ତି । ଏଥିରୁ ଯାହା ଅନୁମେୟ ହେଉଛି ଲୁଚୁଛି ନା ଗୋଡ ଦୁଇଟା ଦିଶୁଛି । ବାସ୍ତବରେ ବିଜେଡ଼ି ସରକାର ସାର ବିକ୍ରିର କୁତ୍ରିମ ଅଭାବ ସୃଷ୍ଟି କରି ଚାଷୀ ଭାଇ ମାନଙ୍କ ମନରେ ବିଭ୍ରାନ୍ତ କରୁଛନ୍ତି ବୋଲି ଏକ ତଥ୍ୟ ସମ୍ୱଳିତ ଆଧାରରେ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କୃଷକ ମାର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରାହିତ ।

ଶ୍ରୀ ପୁରୋହିତ କହିଛନ୍ତି ଯେ ନିଜର ଅପାରଗତାକୁ ଘୋଡ଼ାଇବା ପାଇଁ ଅନ୍ୟ ଉପରେ ଦୋଷ ଲଦିବା ଏହା ବିଜେଡ଼ି ଦଳର ପାରମ୍ପରିକ ଅଭ୍ୟାସ । ନିଜେ ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା ନୀତି ଧରିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାକୁ ଚାଷ କ୍ଷେତ୍ର ହେଉ କିମ୍ୱା ସାର ଯୋଗାଣ ଦିଗରେ ସର୍ବଦା ପ୍ରଧାନ୍ୟ ଦେଇଆସୁଛନ୍ତି । ବିଗତ ୩ ବର୍ଷର ତଥ୍ୟକୁ ବିଶ୍ଳେଷଣ କଲେ ଓଡ଼ିଶାକୁ ଧାର୍ଯ୍ୟ ଆବଂଟିତ ସାର ପରିମାଣ ଠାରୁ ଅଧିକ ସାର ଯୋଗାଇ ଦିଆଯାଇଛି । ଓଡ଼ିଶା ସରକାର ଧାର୍ଯ୍ୟ ଆବଂଟିତ ପରିମାଣର ସାର ଠାରୁ କମ୍‌ ସାର ଦିଆଯାଇଥିବା କହି କେନ୍ଦ୍ରକୁ ଯେଉଁ ପତ୍ର ଲେଖିଛନ୍ତି ତାହା ସମ୍ପୂର୍ଣ୍ଣ ଭିତିହୀନ ଏବଂ ନିଜର ଅପାରଗତାକୁ ଲୁଚାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦିବାର ଆଉ ଏକ ଉଦାହରଣ ।

ଚଳିତ ଖରିଫ ଋତୁରେ ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ରହିଛି । ରାଜ୍ୟ ସରକାରଙ୍କ ପାଖରେ ପ୍ରସଙ୍ଗ ନଥିବାରୁ ସାରକୁ ପ୍ରସଙ୍ଗ କରି କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । କେନ୍ଦ୍ର ସାର ବିଭାଗ ରାଜ୍ୟ କୃଷି ବିଭାଗ ସହ ନିୟମିତ ଭାବରେ ସାରର ଉପଲବ୍ଧୀ ନେଇ ବିଚାରବିମର୍ଷ କରିବା ସହ ସାରର ଯୋଗାଣକୁ ମଧ୍ୟ ତଦାରଖ କରୁଛନ୍ତି । ରାଜ୍ୟ ସରକାର ଯେଉଁ ପ୍ରସଙ୍ଗ ଉଠାଇ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା କେବଳ ଲୋକ ଦେଖାଣିଆ । କେନ୍ଦ୍ର ସାର ବିଭାଗ ପକ୍ଷରୁ ୟୁରିଆ, ଡ଼ିଏପ, ଏମଓପି, ଏନପିକେଏସ ସାରର ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ଥିବା ସ୍ପଷ୍ଟ କରାଯାଇଛି ।

କେନ୍ଦ୍ର ସରକାରଙ୍କ ସାର ବିଭାଗ ଦ୍ୱାରା ମଧ୍ୟ ଏହା ସ୍ପଷ୍ଟ କରାଯାଇଛି ଯେ, ତଥ୍ୟ ଆଧାରରେ ଆବଶ୍ୟକତା ଠାରୁ ରାଜ୍ୟ ପାଖରେ ଅଧିକ ସାର ଉପଲବ୍ଧ ରହିଛି । ତଥ୍ୟ ଅନୁସାରେ, ଚଳିତ ଜୁଲାଇ ମାସ ପାଇଁ ରାଜ୍ୟକୁ ୦.୯୦ ଲକ୍ଷ ମେଟ୍ରିକ୍‌ ଟନ ୟୁରିଆ ଆବଶ୍ୟକ ଥିବାବେଳେ କେନ୍ଦ୍ର ସାର ବିଭାଗ ୦.୯୦ ଲକ୍ଷ ମେଟ୍ରିକ୍‌ ଟନ ୟୁରିଆ ରାଜ୍ୟକୁ ଯୋଗାଇ ଦେବାର ଯୋଜନା ରଖିଛି । ୩୦ ଜୁଲାଇ ସୁଦ୍ଧା ରାଜ୍ୟ ପାଖରେ ୨.୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ୟୁରିଆ ଉପଲବ୍ଧ ରହିଛି । ଏହି ସମୟ ମଧ୍ୟରେ ୦.୯୨ ଲକ୍ଷ ମେଟ୍ରିକ୍‌ ଟନର ୟୁରିଆ ବିକ୍ରି ହାଇଛି । ୩୦ଜୁଲାଇ ୨୦୨୧ ସୁଦ୍ଧା ରାଜ୍ୟ ପାଖରେ ୧.୨୮ ଲକ୍ଷ ମେଟ୍ରିକ୍‌ ଟନର ଆବଶ୍ୟକୀୟ ୟୁରିଆ ମହଜୁଦ୍‌ ଅଛି । ଜୁଲାଇ ମାସ ପାଇଁ ରାଜ୍ୟକୁ ୦.୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଡ଼ିଏପି ସାର ଆବଶ୍ୟକ ଥିବାବେଳେ କେନ୍ଦ୍ର ସାର ବିଭାଗ ୦.୬୬ ଲକ୍ଷ ମେଟ୍ରିକ୍‌ ଟନ ଡ଼ିଏପି ସାର ରାଜ୍ୟକୁ ଯୋଗାଇ ଦେବାର ଯୋଜନା ରଖିଛି । ଏହି ସମୟରେ ୦.୫୫ ଲକ୍ଷ ମେଟ୍ରିକ୍‌ ଟନ ଡ଼ିଏପି ସାର ବିକ୍ରି ହାଇଛି । ରାଜ୍ୟ ପାଖରେ ଜୁଲାଇ ୩୦ ସୁଦ୍ଧା ରାଜ୍ୟ ପାଖରେ ୦.୪୫ ଲକ୍ଷ ମେଟ୍ରିକ୍‌ ଟନ ଡ଼ିଏପି ସାର ଉପଲବ୍ଧ ରହିଛି । ଏହା ଦର୍ଶାଉଛି ଯେ ରାଜ୍ୟ ପାଖରେ ଆବଶ୍ୟକୀୟ ଡ଼ିଏପି ମହଜୁଦ୍‌ ଅଛି । ସେହିପରି ଜୁଲାଇ ମାସ ପାଇଁ ରାଜ୍ୟକୁ ୦.୩୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଏମଓପି ଆବଶ୍ୟକ ଥିବାବେଳେ କେନ୍ଦ୍ର ସାର ବିଭାଗ ୦.୩୦ ଲକ୍ଷ ମେଟ୍ରିକ୍‌ ଟନ ଏମଓପି ରାଜ୍ୟକୁ ଯୋଗାଇ ଦେବାର ଯୋଜନା ରଖିଛି । ଏହି ସମୟରେ ୦.୨୫ ଲକ୍ଷ ମେଟ୍ରିକ୍‌ ଟନ ଏମଓପି ସାର ବିକ୍ରି ହାଇଛି । ଜୁଲାଇ ୩୦ ସୁଦ୍ଧା ରାଜ୍ୟ ପାଖରେ ୦.୪୬ ଲକ୍ଷ ମେଟ୍ରିକ୍‌ ଟନ ଏମଓପି ଉପଲବ୍ଧ ରହିଛି । ଏହା ଦର୍ଶାଉଛି ଯେ ରାଜ୍ୟ ପାଖରେ ଆବଶ୍ୟକୀୟ ଏମଓପି ମଧ୍ୟ ମହଜୁଦ୍‌ ଅଛି । ଜୁଲାଇ ମାସ ପାଇଁ ରାଜ୍ୟକୁ ୦.୭୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଏନପିକେଏସ ଆବଶ୍ୟକ ଥିବାବେଳେ କେନ୍ଦ୍ର ସାର ବିଭାଗ ୦.୭୦ ଲକ୍ଷ ମେଟ୍ରିକ୍‌ ଟନ ଏନପିକେଏସ ରାଜ୍ୟକୁ ଯୋଗାଇ ଦେବାର ଯୋଜନା ରଖିଛି । ଏହି ସମୟରେ ୦.୫୮ ଲକ୍ଷ ମେଟ୍ରିକ୍‌ ଟନ ଡ଼ିଏପ୍‌ ସାର ବିକ୍ରି ହାଇଛି । ଜୁଲାଇ ୩୦ ସୁଦ୍ଧା ରାଜ୍ୟ ପାଖରେ ୦.୮୭ ଲକ୍ଷ ମେଟ୍ରିକ୍‌ ଟନ ଏନପିକେଏସ ଉପଲବ୍ଧ ରହିଛି । ଏହା ଦର୍ଶାଉଛି ଯେ ରାଜ୍ୟ ପାଖରେ ଆବଶ୍ୟକୀୟ ଏନପିକେଏସ ମହଜୁଦ୍‌ ଅଛି । ବିଜେଡ଼ିର ସାଂସଦମାନେ ସାରର ମାସିକ ଯୋଗାଣ ଉପରେ ଆଧାର କରି କେନ୍ଦ୍ର ଉପରେ ଦୋଷ ନ ଲଦି ବିଗତ ବର୍ଷର ହିସାବ ଦେଖନ୍ତୁ । ରାଜ୍ୟରେ ପୂର୍ବରୁ ଷ୍ଟକ୍‌ ଥିବା ସାରକୁ ଉପଯାଗ ନକରି କେନ୍ଦ୍ର ଉପରେ ଦୋଷ ଲଦିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ସାର ବିକ୍ରୟ କେନ୍ଦ୍ରରେ କୁତ୍ରିମ ଅଭାବ ସୃଷ୍ଟି ନକରି ଚାଷୀଙ୍କ ପାଖରେ କେମିତି ସାର ପହଂଚିପାରିବ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ସହ ଯଦି ସାର ପ୍ରସଙ୍ଗରେ ବିଜେଡ଼ି ସାଂସଦମାନେ ଗଠନମୂଳକ ଭାବରେ ତଥ୍ୟ ଆଧାରରେ ଆଜିତଥ୍ୟ ରଖିଥାନ୍ତେ ତେବେ ଭଲ ହୋଇଥାନ୍ତା ବୋଲି ଶ୍ରୀ ପୁରାହିତ ପ୍ରକାଶ କରିଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।