ରାଜ୍ୟ ସରକାର ସମ୍ପୁର୍ଣ୍ଣ ଦଳିତ ବିରୋଧୀ :ବିଭୁ ତରାଇ

  • ଗରିବ ଲୋକଙ୍କୁ ଯୋଗାଇବା ପାଇଁ ମନରେଗା ଯୋଜନାରେ ମୋଦୀ ସରକାର ପଠାଉଥିବା ଅର୍ଥକୁ ହଡପ କରୁଛନ୍ତି ରାଜ୍ୟ ସରକାର
  • ରାଜ୍ୟରେ ଦଳିତ ବର୍ଗର ଲୋକମାନେ ସୁରକ୍ଷିତ ନୁହଁନ୍ତି
  • ପୁଲିସ ପ୍ରଶାସନ ମୂଳ ଦାୟୀତ୍ୱକୁ ଭୁଲି ବିଜୁ ଜନତା ଦଳର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି
  • ଦଳିତ ପରିବାରକୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପୁଲିସ ଡ଼ିଜି, ମାନବାଧିକାର କମିଶନ ଓ
    ରାଜ୍ୟପାଳଙ୍କ ନିକଟରେ ଆମେ ଫେରାଦ ହେବ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଓଡିଶାରେ ବିଜେଡି ସରକାର ଏକ ଦଳିତ ବିରୋଧୀ ସରକାର । କ୍ରମାଗତ ଭାବେ ବିଜେଡିର ଅସମାଜିକ ଗୁଣ୍ଡା ଶ୍ରେଣୀର କର୍ମୀମାନେ ଶାସକ ଦଳର ବାହୁ ଛାୟା ତଳେ ରହି ଦଳିତ ମାନଙ୍କ ଉପରେ ବର୍ବର ଆକ୍ରମଣ କରୁଥିଲେ ମଧ୍ୟ ପୁଲିସ ବିଭାଗ ନିଦା ବିଷ୍ଣୁ ସାଜି ଅପରାଧୀମାନଙ୍କୁ ଗିରଫ କରୁନାହିଁ ବୋଲି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ ଅଭିଯୋଗ କରିଛନ୍ତି ।
ଜଗତସିଂହପୁର ବିଧାନସଭା କ୍ଷେତ୍ରର ନାଉଗାଁ ବ୍ଲକର ଦଳିତ ମହିଳାମାନେ ମନରେଗା କାର୍ଯ୍ୟର ଧାର୍ଯ୍ୟ ମଜୁରୀ ଦୈନିକ ୨୫୭ ଟଙ୍କା ପାଇବା ପରିବର୍ତେ ମାତ୍ର ୮୨ ଟଙ୍କା ଆକାଉଂଟକୁ ଯାଇଥିବା ପ୍ରତିବାଦରେ ଦୀର୍ଘ ୧୩ ଦିନ ଧରି ବ୍ଲକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ତାଙ୍କୁ ଉଚିତ ମଜୁରୀ ବାବଦ ଅର୍ଥ ଦେବାକୁ ବ୍ଲକ ପ୍ରଶାସନ କୌଣସି ବ୍ୟବସ୍ଥା କଲା ନାହିଁ । ଅପରନ୍ତୁ ଗତ ୨୭ ତାରିଖ ରାତ୍ର ୨ ଘଟିକା ସମୟରେ ସ୍ଥାନୀୟ ସରପଂଚ ତନୁଲତା ବାରିକଙ୍କ ପୁତ୍ର ମିଟୁ ବାରିକ ଓ ତାଙ୍କ ସହଯୋଗୀମାନେ ଧାରଣାରତ ମହିଳାଙ୍କ ଉପରେ ମାରଣାସ୍ତ୍ର ଜରିଆରେ ଆକ୍ରମଣ କଲେ । ଏହା ସହ ସେମାନେ ମହିଳାମାନଙ୍କୁ ଟଣା ଓଟରା କରିବା ସହ ଧାରଣାସ୍ଥଳରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ବି.ଆର ଆମ୍ବେଦକରଙ୍କ ଫୋଟକୁ ଫୋପାଡିଦେଲେ । ମହିଳାଙ୍କ ତରଫରୁ ରୀନା କାଣ୍ଡିଙ୍କ ଏତଲା ଆଧାରରେ ମକଦ୍ଦମା ରୁଜୁ ହୋଇଥିଲେ ମଧ୍ୟ ୩ ଏସି/ଏସଟି ଆକ୍ଟ ଅନୁସାରେ ଦଫା ପୁଲିସ ଲଗାଇଲେ ନାହିଁ । ଜନନାୟକ ଆମ୍ବେଦକରଙ୍କ ପ୍ରତି ଅସମ୍ମାନ କରିବା ସହ ଦଳିତ ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାର ସାଙ୍ଗକୁ ଆକ୍ରମଣ କରିଥିବା ଅପରାଧିମାନଙ୍କୁ ଏପର୍ଯ୍ୟନ୍ତ ପୁଲିସ ଗିରଫ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ତରାଇ କହିଛନ୍ତି ।
ପୂର୍ବରୁ ଗତ ୧ ଜୁଲାଇରେ କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ବାଳକାଟି ପଂଚାୟତରେ ନବ କିଶୋର ମଲ୍ଲିକ ଦଳିତ ପରିବାରଉପରେ ସ୍ଥାନୀୟ ସରପଂଚ ଦିବାକର ନାୟକ, ତାଙ୍କ ପୁଅ ରଂଜନ ନାୟକ ଓ ତାଙ୍କ ସହଯୋଗୀମାନେ ମରଣାନ୍ତକ ଆକ୍ରମଣ କଲେ । ଅପାଧୀମାନେ ସେଠିକାର ଶାସକ ଦଳ ବିଧାୟକଙ୍କ ସମର୍ଥକ ହୋଇଥିବାରୁ ପୁଲିସ କୌଣିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ । ଏହା ବିରୁଦ୍ଧରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଓ ଜିଲ୍ଲା ବିଜେପି ପକ୍ଷରୁ କ୍ରମାଗତ ଭାବେ ୭ ଦିନ ଧାରଣା ଦିଆଯାଇଥିଲା । ସ୍ଥାନୀୟ ଆରକ୍ଷୀ ଅଧିକ୍ଷକ ଏହି ଘଟଣା ସଂପର୍କରେ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରି ଅପରାଧୀଙ୍କୁ ଗିରଫ କରିବା, ଆଳି ଥାନାର ଆଇଆଇସିଙ୍କୁ ବଦଳି କରିବା, ଦଳିତ ପରିବାର ନାଁରେ ଦାୟର ମିଥ୍ୟା ମକୋଦ୍ଦମାକୁ ପ୍ରତ୍ୟାହାର କରିବା ଓ ଦଳିତ ପରିବାରକୁ ସୁରକ୍ଷା ଦେବା ପାଇଁ ନିର୍ଭର ପ୍ରତିଶ୍ରୁତି ଚଳିତ ମାସ ୨୧ ତାରିଖରେ ଦେଇଥିଲେ ସୁଦ୍ଧା ତାହା ଏଯାବତ୍‌ କାର୍ଯ୍ୟକାରୀ ହେଲା ନାହିଁ । ଏଥିରୁ ସ୍ପଷ୍ଟ ଯେ, ଓଡିଶା ପୁଲିସ ବିଜେଡିର କର୍ମୀ ସାଜିଛନ୍ତିା ଦଳିତ ମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ବିଜେଡିର ସ୍ଥାନୀୟ ବିଧାୟକ ନେତାଙ୍କ ଚାପରେ ଅସମାଜିକ ଲୋକଙ୍କ ଦ୍ୱାରା ଆକ୍ରମଣକୁ ପରୋକ୍ଷ ଭାବେ ଉତ୍ସାହିତ କରୁଛନ୍ତି । ଉଭୟ ଘଟଣା ମନରେଗା ଯୋଜନାର ଘୋଟାଲା ବିରୁଦ୍ଧରେ ହୋଇଥିବାରୁ ସ୍ଥାନୀୟ ବିଧାୟକଙ୍କ ପିସି କାରବାରରେ ସଂପୃକ୍ତି କାରଣରୁ ପୁଲିସର ନିଷ୍କ୍ରିୟତା ଦଳିତ ମାନଙ୍କୁ ଅସହାୟତା ଆଡକୁ ନେଇଯାଉଛି ବୋଲି ଶ୍ରୀ ତରାଇ କହିଛନ୍ତି ।
ଦଳିତ ପରିବାରକୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପୁଲିସ ଡ଼ିଜି, ମାନବାଧିକାର କମିଶନ ଓ ରାଜ୍ୟପାଳଙ୍କ ନିକଟରେ ଆମେ ଫେରାଦ ହେବ ବୋଲି ଶ୍ରୀ ତରାଇ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଦଳର ରାଜ୍ୟ ର୍କ୍ୟାକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ, ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ରାଘବ ମଲ୍ଲିକ ଏବଂ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଡ. ରବି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।