ନବୀନଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବ ବିଜେପି
ରାଜ୍ୟବାସୀଙ୍କ ଆଗରେ କେନ୍ଦ୍ର ବିଜେପି ଲୋକ ଦେଖାଣିଆ ଅଭିନୟ କରୁଛି ମାତ୍ର….
ଭୁବନେଶ୍ୱର: ବିଜେଡି ମୁଖିଆଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାର ରାସ୍ତା ତିଆରି କରି ନୂଆଦିଲ୍ଲୀ ଫେରି ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ କର୍ମୀମାନଙ୍କ କାନରେ ଯେଉଁ ମନ୍ତ୍ର ଫୁଙ୍କିଲେ; ତା’ର ସାମାନ୍ୟ ପ୍ରଭାବ ରାଜ୍ୟର ଜଣାଶୁଣା ନେତା ଓ କର୍ମୀଙ୍କ ନିକଟରେ ଦେଖିବାକୁ ମିଳୁନି ବୋଲି ରାସ୍ତାଘାଟରେ ଆଲୋଚନା ଚାଲିଛି ।
ନଡ୍ଡାଙ୍କ ଆହ୍ୱାନରେ ଦଳର ଆଗଧାଡ଼ିର ନେତାମାନେ ସାମାନ୍ୟ ଚାର୍ଜ ହୋଇନାହାନ୍ତି । ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଉଚ୍ଚାରଣ ନକରିବା ପାଇଁ ନଡ୍ଡାଙ୍କୁ ତାଗିଦ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନଡ୍ଡାଙ୍କ ଭାଷଣ ଅନୁସାରେ ରାଜ୍ୟ ସରକାର ସବୁ ପ୍ରକାର ଦୁର୍ନୀତିରେ ଲିପ୍ତ; ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷାକରେ ଦୁର୍ନୀତିର ଲେଶ ମାତ୍ର ଚିହ୍ନ ନାହିଁ । ବିଜେପିର ଏପରି ଆଭିମୁଖ୍ୟ ବିଜେଡିକୁ ସୁହାଉଛି ବୋଲି ବିଜେପିର ଅସନ୍ତୁଷ୍ଟ ଗୋଷ୍ଠୀ କହିଛନ୍ତି ।
ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁହଁରେ ପାଟି ଫିଟାଇବାକୁ କୌଣସି ରାଜ୍ୟ ନେତାଙ୍କର ସାହସ ନାହିଁ । ବିଜେଡିର କୌଣସି ନେତା, ମନ୍ତ୍ରୀ, ବିଧାୟକଙ୍କର ନାମ ଉଚ୍ଚାରଣ ନକରି ମହାଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ନଡ୍ଡା ଦଳର କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ସଂକ୍ଷେପରେ କହିଲେ, ନଡ୍ଡାଙ୍କ ନୀତି ଅବା ମୋଦୀଙ୍କ ପରାମର୍ଶ ଅନୁସାରେ କାମ କଲେ ରାଜ୍ୟ କ୍ଷମତାରୁ ବିଜେଡି ହଟିବାର ସାମାନ୍ୟ ଆଶଙ୍କା ନାହିଁ ।
ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଛନ୍ତି ବୋଲି ନଡ୍ଡାଙ୍କ ଆତ୍ମରକ୍ଷା କୌଶଳରୁ ଜଣାପଡ଼ିଛି । କେବଳ ମୋଦୀ ନୁହନ୍ତି, ବିଜେଡି ମୁଖିଆଙ୍କ ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଶୁଭଦୃଷ୍ଟି ରହିଛି ।
ତେଣୁ ରାଜ୍ୟବାସୀଙ୍କ ଆଗରେ କେନ୍ଦ୍ର ବିଜେପି ଲୋକ ଦେଖାଣିଆ ଅଭିନୟ କରୁଛି ମାତ୍ର । ନବୀନଙ୍କ ନୂଆଦିଲ୍ଲୀ ଚେହେରା ଧୋବ ଫରଫର ଥିବାରୁ ତାଙ୍କର ପୁଣିଥରେ କ୍ଷମତାକୁ ଆସିବା ସୁନିଶ୍ଚିତ ବୋଲି ରାଜ୍ୟର ବୁଦ୍ଧିଜୀବୀମାନେ କହୁଛନ୍ତି । ତେବେ ଛୋଟଛୋଟ ଦଳ ଏକଜୁଟ ହୋଇ ନବୀନଙ୍କ ବିରୋଧରେ ଯୁଦ୍ଧ ଡାକରା ନଦେଲେ, ନବୀନଙ୍କୁ ହଟାଇବା ସମ୍ଭବ ନୁହେଁ ।