ହୋର୍ଡିଂ ପରିଚାଳନା ନେଇ ବିଏମ୍ ସିର ବୈଠକ

ଭୁବନେଶ୍ୱର;୨୬.୦୨.୨୦୨୬ ରିଖ:ପ୍ରତ୍ୟେକ ହୋର୍ଡିଂର ହେବ ତୃତୀୟ ପକ୍ଷ (Third Party) ଇନସ୍ୟୁରାନ୍ସ । ସୁସଂହତ ହେବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଅଂଚଳରେ ହୋର୍ଡିଂ ବ୍ୟବସ୍ଥା । କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ନିର୍ଦେଶ କ୍ରମେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଓ ରାଜସ୍ୱ ଉପାୟୁକ୍ତ ଶ୍ରୀ ଅଜୟ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଅନୁବନ୍ଧିତ ବିଜ୍ଞାପନ ସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ଆଜି ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ସମସ୍ତ ଅନୁବନ୍ଧିତ ସଂସ୍ଥାଙ୍କୁ ଚିଠି ମାଧ୍ୟମରେ ହୋର୍ଡିଂଗୁଡିକର ସ୍ଥାୟୀତ୍ୱ ପ୍ରମାଣପତ୍ର ଦେବା ପାଇଁ ଆଲୋଚନା ହୋଇଯାଇଛି । ସମସ୍ତ ହୋର୍ଡିଂ ଷ୍ଟ୍ରକଚର କିପରି ପରିଚାଳନା, ଦେଖାଶୁଣା ଓ ସୁରକ୍ଷା କିପରି ହେଉଛି, ତାହାର ପ୍ରାମାଣିକ ବିବରଣୀ ଦେବାକୁ ମଧ୍ୟ କୁହାଯାଇଛି । ଏହି ଅବସରରେ ସମସ୍ତେ ନିଜ ନିଜର ହୋର୍ଡିଂଗୁଡିକୁ ସମୀକ୍ଷା କରି ଏହାର ସ୍ଥିତି କିପରି ଅଛି, ତାହା ଜଣାଇବାକୁ ବିଏମ୍ ସି ପକ୍ଷରୁ କୁହାଯାଇଛି ।

ମରାଯାଇଥିବା ହୋର୍ଡିଂଗୁଡିକରେ ନିଜ ସଂସ୍ଥାର ନାମ ଲେଖିବାକୁ ମଧ୍ୟ କୁହାଯାଇଛି । ପ୍ରତ୍ୟେକ ଏଜେନ୍ସି ସବୁ ହୋର୍ଡିଂର ଥାର୍ଡ ପାର୍ଟି ଇନସ୍ୟୁରାନ୍ସ କରିବାକୁ କୁହାଯାଇଛି । ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଯଦି କୌଣସି ହୋର୍ଡିଂରେ ଫ୍ଲେକ୍ସ ଇତ୍ୟାଦି ଛିଡିକରି ଉଡେ, ତେବେ ସେଗୁଡିକୁ ସଂଗେ ସଂଗେ କାଟିଦେବା ପାଇଁ କୁହାଯାଇଛି । ତେବେ ଆବଶ୍ୟକୀୟ ସ୍ଥଳେ, ସୁରକ୍ଷା ଦୃଷ୍ଟିରୁ ହୋର୍ଡିଂଗୁଡିକୁ ହଟାଇ ଦେବାପାଇଁ ଏଜେନ୍ସିମାନଙ୍କୁ ନିର୍ଦେଶ ଦିଆଯାଇଛି ।