ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌: ସ୍ୱତନ୍ତ୍ର ଅଧିବେଶନ ଦାବି କଲେ ନବୀନ

ନୂଆ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଦ୍ୱାରା ଓଡ଼ିଶାର ….

ଭୁବନେଶ୍ୱର: ନୂଆ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଦ୍ୱାରା ଓଡ଼ିଶାର ରାଜନୈତିକ ପ୍ରଭାବ ୧୫% ହ୍ରାସ ପାଇବାର ଆଶଙ୍କା ରହିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ଏ ନେଇ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ନବୀନ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବୀନ ଚିଠି ଲେଖିଛନ୍ତି।

ନୂଆ ସୀମା ପୁନଃନିର୍ଦ୍ଧାରଣ (ଊରକ୍ଷସଜ୍ଞସଗ୍ଧବଗ୍ଧସକ୍ଟଦ୍ଭ) ପ୍ରକ୍ରିୟାକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଜରୁରୀ ପତ୍ର ବୁଧବାର ଲେଖିଛନ୍ତି।

ନବୀନଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ‘ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌, ୨୦୨୬’ ଦ୍ୱାରା ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଲେ ମଧ୍ୟ ଓଡ଼ିଶାର ସାମଗ୍ରିକ ପ୍ରତିନିଧିତ୍ୱ ହ୍ରାସ ପାଇବ। ବର୍ତମାନ ସଂସଦରେ ଓଡ଼ିଶାର ଅଂଶଧନ ୩.୯% ଥିବା ବେଳେ ଏହା ୩.୪%କୁ ଖସି ଆସିବ, ଯାହାକି ରାଜ୍ୟର ରାଜନୈତିକ କ୍ଷମତାରେ ପ୍ରାୟ ୧୫% କ୍ଷତି ବୋଲି ସେ ଦର୍ଶାଇଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଓଡ଼ିଶା ଭଳି ପ୍ରଗତିଶୀଳ ରାଜ୍ୟକୁ ଏହାଦ୍ୱାରା ଦଣ୍ଡିତ କରାଯାଉଛି ବୋଲି ନବୀନ ଅଭିଯୋଗ କରିଛନ୍ତି।

ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଆସନ୍ତା ୪୮ ଘଂଟା ମଧ୍ୟରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାର ୪.୫ କୋଟି ଜନତାଙ୍କ ସ୍ୱାର୍ଥରକ୍ଷା ପାଇଁ ଏବଂ ରାଜ୍ୟର ରାଜନୈତିକ ଅଧିକାରର ସୁରକ୍ଷା ପାଇଁ ଏକ ସର୍ବସମ୍ମତ ସଂକଳ୍ପ ପାରିତ ହେବା ଜରୁରୀ।

ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡି ସମର୍ଥନ କରୁଥିଲେ ମଧ୍ୟ ଏହାର ଆଢୁଆଳରେ ଓଡ଼ିଶାର କ୍ଷମତାକୁ କ୍ଷୁର୍ଣ୍ଣ କରାଯିବା ସଂଘୀୟ ବ୍ୟବସ୍ଥା ବିରୋଧୀ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଯଦି ଆଜି ଆମେ ଏହାର ପ୍ରତିବାଦ ନକରିବା, ତେବେ ଭବିଷ୍ୟତର ଓଡ଼ିଆ ପିଢ଼ି ଆମକୁ କ୍ଷମା କରିବେ ନାହିଁ, ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଓଡ଼ିଆ ଭାବେ ରାଜ୍ୟର ସ୍ୱାର୍ଥ ପାଇଁ କଠୋର ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।