ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ

ବୌଦ୍ଧ ଜିଲ୍ଲା ପୋଲିସ ଦୁଇଟି ପୃଥକ ମାମଲାରେ ମୋଟ 1313 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ବାଇକ ଏବଂ ପିକ ଅପ୍ ଭ୍ୟାନକୁ ମଧ୍ୟ ପୋଲିସ ଜବତ କରିଛି । ଗୋଟିଏ ମାମଲା ବୌଦ୍ଧ ଆଦର୍ଶ ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ମାମଲାଟି ଘଣ୍ଟପଡା ଥାନାରେ ପଞ୍ଜିକୃତ ହୋଇଛି ।

ବୌଦ୍ଧ ଆଦର୍ଶ ଥାନା ପୋଲିସ ଟିମ୍ ଅମ୍ବାଝରୀ ଗ୍ରାମ ପଂଚାୟତ ଅଧୀନ ବଣ୍ଡାବଳଦିଆ ଗାଁରେ ମିଥୁନ ହାତୀ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ନିଶା ଦ୍ରବ୍ୟ ରଖି ଚୋରା ଚାଲାଣ କରୁଥିବା ଖବର ପାଇ ଚଢ଼ାଉ କରିଥିଲା । ସମ୍ପୃକ୍ତ ଅଭିଯୁକ୍ତଙ୍କ ନିକଟରୁ ୫୬୦ କେଜି ଗଞ୍ଜେଇ ଓ ଏକ ମୋଟର ସାଇକେଲ ଜବତ କରାଯାଇଛି ।

ସେହିପରି ଘଣ୍ଟପଡ଼ା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୭୪୯ କେଜି ଗଞ୍ଜେଇ, ଗୋଟିଏ ଦେଶୀ ବନ୍ଧୁକ,୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମହିନ୍ଦ୍ରା ବୋଲେରୋ ପିକ୍ ଅପ୍ ଗାଡ଼ି, ୫ଟି ମୋଟର ସାଇକେଲ ଜବତ କରିଛି । ଏହା ସହ ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ, ଉଦୟ ଚନ୍ଦ୍ର ଭୋଇ, ଶ୍ରୀକାନ୍ତ ମୁଦୁଲି ଏବଂ ନୀଳକଣ୍ଠ ଭୋଇ ।

ଉଭୟ ଘଟଣାର ତଦନ୍ତ ଜାରି ରହିଛି ଏବଂ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।