ଭୁବନେଶ୍ବର(ଏସ୍ ନ୍ୟୁଜ): ଖଣ୍ଡଗିରି ନିକଟରେ ଆଜି ଏକ ଟ୍ରକରୁ ଜବତ ହୋଇଛି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ। ଉପରେ ବାଇଗଣ, ବନ୍ଧାକୋବି ଇତ୍ୟାଦି ଲଦା ହୋଇଥିବା ବେଳେ ଭିତରେ ଥିଲା ଗଞ୍ଜେଇ। ଗୁଇନ୍ଦା ସୁତ୍ରରୁ ଖବର ମିଳିବା ପରେ ଟ୍ରକ ଉପରେ ଚଢ଼ାଉ ହୋଇଥିଲା।
ସୂଚନା ମୁତାବକ, ଟ୍ରକଟି ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିଲା। ତେବେ ଏହି ପରିବା ଟ୍ରକରେ ଭରପୁର ଗଞେଇ ମହଜୁଦ ଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ଖବର ମିଳିଥିଲା। ଟ୍ରକଟି ଖଣ୍ଡଗିରି ଠାରେ ପହଞ୍ଚିବା ପୂର୍ବ ଯୋଜନା ମୁତାବକ ଚଢ଼ାଉ ହୋଇଥିଲା। ମିଳିଥିବା ଖବର ସତ ବୋଲି ପ୍ରମାଣିତ ହୋଇଥିଲା, ପରିବା ତଳେ ରହିଥିଲା ସାଢ଼େ ୫ କ୍ୱିଣ୍ଟାଲ ଗଞ୍ଜେଇ। ଯାହାର ବଜାର ମୂଲ୍ୟ ପ୍ରାୟ ୮୦ ଲକ୍ଷ ହେବବୋଲି ଜଣାପଡ଼ିଛି।
କିଛିଦିନ ହେବ ରାଜ୍ୟରେ ଗୋଟେ ପରେ ଗୋଟେ ଚୋରା ନିଶାଦ୍ରବ୍ୟ କାରବାରର ପର୍ଦ୍ଦାଫାଶ କରିବାରେ ଲାଗିଛି ଏସଟିଏଫ୍। ଗତ କିଛି ଦିନ ଭିତରେ ଏସଟିଏଫ ବହୁ ବ୍ରାଉନ୍ ସୁଗାର ବେପାରୀଙ୍କୁ ଗିରଫ କଲାଣି। ନିକଟରେ ଗଞ୍ଜେଇ ଚୋରା କାରବାରର ପେଣ୍ଠସ୍ଥଳୀ ଭୁବନେଶ୍ୱର ବୋଲି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟ୍ସଆପ ଚାଟ୍ ଭାଇରାଲ ହୋଇଥିଲା। ଯାହାର କି ତଦନ୍ତ ଚାଲିଛି।