କଙ୍ଗନାଙ୍କୁ ତିରସ୍କାର, ଆଣିଦେଲା ପୁରସ୍କାର

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସହ ବାକ୍ ଯୁଦ୍ଧ ଲଢ଼ି ଫଳ ସ୍ୱରୂପ ପୁରସ୍କାର ପାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ତାଙ୍କୁ ଦଳର ମୁଖ୍ୟ ମୁଖପାତ୍ର ନିଯୁକ୍ତ କରାଯାଇଛି। ଏନେଇ ଶିବସେନା ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି।

ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସଞ୍ଜୟ ନିକଟରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ମୁହଁ ଖୋଲିଥିଲେ। ମୁମ୍ବାଇ ପୋଲିସକୁ କଙ୍ଗନା ଦୋଷାରୋପ କରିବା ଏବଂ କଡ଼ା ସମାଲୋଚନା କରିବାକୁ ସେ ସହଜରେ ହଜମ କରିପାରିନଥିଲେ। ମୁମ୍ବାଇରେ ରହି ଏଠାକାର ପୋଲିସକୁ ନିନ୍ଦୁଛ ବୋଲି କହି ସେ କଙ୍ଗନାଙ୍କୁ ତିରସ୍କାର କରିଥିଲେ। ଏପରିିକି କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ ସଞ୍ଜୟ ତାଙ୍କୁ ଏଠାକୁ ଆଉ ନଆସିବାକୁ କହିଥିଲେ।

ଚର୍ଚ୍ଚା ହେଉଛି କଙ୍ଗନାଙ୍କ ବିରୋଧରେ ପ୍ରବଳ ଓଗାଳିଥିବା ଯୋଗୁଁ ଦଳୀୟ ସୁପ୍ରିମୋ ସଞ୍ଜୟଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି। ଦଳୀୟ ମୁଖବନ୍ଧ ‘ସାମ୍ନା’ର କାର୍ଯ୍ୟକାରୀ ସଂପାଦକ ଥିବା ସଞ୍ଜୟଙ୍କ ପତିଆରା ବଢିଛି। ପୂର୍ବରୁ ଏହି ରାଜ୍ୟସଭା ସାଂସଦ ଜଣକ ନିଜ ବିଧାୟକ ଭାଇଙ୍କୁ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ।