‘ଦୟାକରି ଧୈର୍ଯ୍ୟ ଧରନ୍ତୁ, ଏହି ଭିଡିଓଟି ଦେଖନ୍ତୁ’

ଭୁବନେଶ୍ୱର(ଏସ୍ ନ୍ୟୁଜ): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପତ୍ନୀ ବର୍ଷା ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଘର କଳି କୋର୍ଟରେ ପହଞ୍ଚିଥିବା ବେଳେ ମାମଲାକୁ ନେଇ ନିଜର ପକ୍ଷ ରଖିସାରିଛନ୍ତି ସାଂସଦ। ତେବେ ଏହାକୁ ନିଜ ପରିବାରର ବ୍ୟକ୍ତିଗତ କଥା କହୁଥିବା ଅନୁଭବ ଟ୍ୱିଟରରେ ନୂଆ ଭିଡିଓ ପୋଷ୍ଟ କରି ପୁଣି ଚର୍ଚ୍ଚାରେ ଖୋରାକ ଯୋଗାଇଛନ୍ତି।

ନିଜ ଘରେ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷ ଗଣେଶ ପୂଜାର ଏକ ଭିଡିଓ ଅନୁଭବ ସେୟାର କରିଛନ୍ତି। ଯେଉଁଥିରେ ଶାଶୁ ଶ୍ୱରୁଙ୍କ ସହ ନଜର ଆସୁଛନ୍ତି ବୋହୁ ବର୍ଷା ପ୍ରିୟଦର୍ଶିନୀ। ଅନୁଭବ ଏହି ପୋଷ୍ଟର କ୍ୟାପ୍ସନରେ ଲେଖିଛନ୍ତି, ‘ଦୟାକରି ଧୈର୍ଯ୍ୟ ଧରନ୍ତୁ ଏବଂ ଏହି ଭିଡିଓଟିକୁ ଦେଖନ୍ତୁ। ଏହି ଭିଡିଓ କୌଣସି ପ୍ରକାରେ ଦର୍ଶାଉଛି କି ସମ୍ମାନନୀୟ କେହିଜଣେ ଘରୋଇ ହିଂସାର ସମ୍ମୁଖୀନ ହେଉଛନ୍ତି? ସମ୍ମାନନୀୟ କେହିଜଣେ ମୋ ପ୍ରିୟ ପରିବାର ସହ ମୋ ପୈତୃକ ଘରେ ଗଣେଶ ପୁଜା ପାଳୁଛନ୍ତି’।

ପୂର୍ବରୁ ମଧ୍ୟ ଅନୁଭବ ପ୍ରଶ୍ନ କରିସାରିଛନ୍ତି କି ଯଦି ବର୍ଷା ନିର୍ଯାତନାର ଶିକାର ହୋଇଛନ୍ତି ତେବେ ସେ କିପରି ଏବେସୁଦ୍ଧା ଶାଶୁଘରେ ରହିଛନ୍ତି। ତାଙ୍କର ଏକ ଛୋଟ ଭୁଲ ପାଇଁ ଆଜି ଏସବୁ ହେଉଛି ବୋଲି ଅନୁଭବ ଗଣମାଧ୍ୟମ ଆଗରେ କହିଛନ୍ତି। ସୂଚନାଯୋଗ୍ୟ, ବର୍ଷା ରୁଜୁ କରିଥିବା ଘରୋଇ ହିଂସା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୨ ତାରିଖରେ କଟକ ଏସଡିଜେଏମଙ୍କ କୋର୍ଟରେ ହେବ।