ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ମାମଲାର ତଦନ୍ତ କରୁଥିବା ସିବିଆଇ ଆଜୀବନ କାରାଦଣ୍ଡ ଦେବାକୁ କୋର୍ଟରେ ଦାବି କରିଛି। ଦୋଷୀଙ୍କୁ ଏଭଳି ଦଣ୍ଡବିଧାନ ହେବା ଦରକାର ଯେମିତି ଉଦାହରଣ ସୃଷ୍ଟି କରିବ ବୋଲି ସିବିଆଇ ଦାବି କରିଛି।
ସେପଟେ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପଙ୍କ ଦଣ୍ଡବିଧାନ ଆସନ୍ତା ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚିଛି। ତେବେ ଏହି ମାମଲାରେ ସମସ୍ତ ଦୋଷୀକୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋଷୀ କୋଭିଡ୍-୧୯ ପ୍ରତିଷେଧକ ସହ ହାଜର ହେବାକୁ କୁହାଯାଇଛି। ଦିଲୀପଙ୍କ ସମେତ ୩ ବରିଷ୍ଠ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀପ ରାୟ ୧୯୯୯ ମସିହା ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର କୋଇଲା ରାଷ୍ଟ୍ର ମନ୍ତ୍ରୀ ଥିଲେ।
ତେବେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନଙ୍କର ବୃଦ୍ଧାବସ୍ଥା ଏବଂ ପୂର୍ବ ଛବି ପରୀକ୍ଷା କରାଯାଇ ନମନୀୟ ଦୃଷ୍ଟିକୋଣରେ ଦଣ୍ଡ ବିଧାନ କରାଯାଉ ବୋଲି କୋର୍ଟଙ୍କ ନିକଟରେ ଦିଲ୍ଲୀପ ଅନୁରୋଧ କରିଥିବା ସୂଚନା ରହିଛି। ତେବେ ସିବିଆଇ ଏଭଳି ନରମ ଦଣ୍ଡାବିଧାନକୁ ବିରୋଧ କରିଥିବା ବେଳେ ଦୋଷୀଙ୍କୁ ଏଭଳି ଦଣ୍ଡବିଧାନ ହେବା ଦରକାର ଯେମିତି ଉଦାହରଣ ସୃଷ୍ଟି କରିବ ବୋଲି ସିବିଆଇ ଦାବି କରିଛି।
ସୂଚନାଯୋଗ୍ୟ, ୧୯୯୯ ମସିହାର କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ। ଝାଡ଼ଖଣ୍ଡର ଏକ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ସେତେବେଳେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।