ନିଶ କାଟି ବୁଲିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

ବିଜେପି ପାଇଁ ଧାମନଗର ଉପନିର୍ବାଚନ ଜିତିବା ଯେତିକି ଗୁରୁତ୍ୱପୂର୍ଣ୍ଣ…

ଭୁବନେଶ୍ୱର: ଧାମନଗର ଆସନ ବଜାୟ ରଖିବା ପାଇଁ ବିଜେପି ଟିମ୍‌ ଆପ୍ରାଣ ଉଦ୍ୟମ ଜାରି ରଖିଛି । ଶାସକ ବିଜେଡି ଉକ୍ତ ଆସନଟିକୁ ପାଇବା ପାଇଁ କଳବଳ କୌଶଳ ଚଳାଇଛି । ଶାସକ ଦଳ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ଆଣି ବିଜେପି ଟିମ୍‌ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ତଥ୍ୟ ଆଧାରିତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ କହି ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପିର ଅଭିଯୋଗ ପ୍ରତି ସେତେଟା ଗୁରୁତ୍ୱ ଦେଇ ନଥିଲେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଚରଣ ଓ ଉଚ୍ଚାରଣରେ କ୍ଷୋଭ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି । ଧର୍ମେନ୍ଦ୍ରଙ୍କ ଅଭିଯୋଗ ପ୍ରତି ମୁଖ୍ୟ ନିର୍ବାଚନ କମିଶନ କେତେ ଗୁରୁତ୍ୱ ଦେଉଛନ୍ତି; ତାହା ଜାଣିବା ପାଇଁ ରାଜ୍ୟବାସୀଙ୍କ ମନରେ ପ୍ରବଳ ଆକାଂକ୍ଷା ପ୍ରକାଶ ପାଇଛି । ବିଜେପି ପାଇଁ ଧାମନଗର ଉପନିର୍ବାଚନ ଜିତିବା ଯେତିକି ଗୁରୁତ୍ୱପୂର୍ଣ୍ଣ ।

ତା’ଠାରୁ ବଳି ଗୁରୁତ୍ୱପୂର୍ଣ୍ଣ ହେଉଛି, ଧର୍ମେନ୍ଦ୍ରଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ମୁଖ୍ୟ ନିର୍ବାଚନ କମିଶନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ମୁଖ୍ୟ ନିର୍ବାଚନ ଆୟୋଗ ଘଟଣାର ତଦନ୍ତ କରି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବା କଥା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ବାହୁ ତଳେ ଆଶ୍ରୟ ନେଇଥିବା ଧର୍ମେନ୍ଦ୍ରଙ୍କ ଅଭିଯୋଗକୁ ଯଦି ମୁଖ୍ୟ ନିର୍ବାଚନ କମିଶନ ଅଣଦେଖା କରନ୍ତି; ତେବେ ରାଜ୍ୟବାସୀଙ୍କ ଆଗରେ ଧର୍ମେନ୍ଦ୍ର ମୁହଁ ଦେଖାଇ ବାଟ ଚାଲି ପାରିବେନି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ, ଧର୍ମେନ୍ଦ୍ର ଭାଇ ନିଶ କାଟିଦେବେ ବୋଲି କିଛି ବିଜେପି କର୍ମୀ କହିଛନ୍ତି ।