ଚେକ୍ ଡ୍ୟାମ୍ ଅକାମୀ: ଝରଣା ପାଣିକୁ ନିର୍ଭର

କାମରେ ଆସୁନି ୩ କୋଟି ଟଙ୍କା ବ୍ୟୟରେ …..

ଦଶମନ୍ତପୁର: କାମରେ ଆସୁନି ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେକ୍ ଡ୍ୟାମ୍ । ବାରମ୍ବାର ଗୁହାରି ପରେ ବି ବିକଳ୍ପ ବ୍ୟବସ୍ଥା ହେଲାନି । ଶେଷରେ ନିଜସ୍ୱ ଉଦ୍ୟମରେ ଜମିକୁ ଝରଣା ପାଣି ଆଣି ପରିବା ଚାଷ କରୁଛନ୍ତି ସଦର ବ୍ଲକ୍ ଡୁମ୍ବାଗୁଡା ପଂଚାୟତ ପଦାବାଗ୍ରୀ ଚାଷୀ । ସେହି ପାଣିରେ ଆଳୁ, କୋବି, ବାଇଗଣ, ଭେଣ୍ଡି, ଟମାଟୋ, କଂଚାଲଙ୍କା ଆଦି ଫଳାଇ ପରିବାର ପ୍ରତିପୋଷଣ କରୁଛନ୍ତି ।

ଗାଁର ଚାଷୀ ଶୁକ୍ରୁ ମୁଦୁଲି, ଧନସର ମୁଦୁଲି, ପୁରୁଷୋତମ ଜାନୀ, ଦଶ ମୁଦୁଲି, ହରିଶ୍ଚନ୍ଦ୍ର ମୁଦୁଲି ପ୍ରମୁଖ କହିଛନ୍ତି, ୧୫ ବର୍ଷ ତଳେ ଦୁଇଖଣ୍ଡ ଗାଁର ଚାଷଜମିକୁ ପାଣି ଯୋଗାଇ ଦେବାକୁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା ।

ପ୍ରକଳ୍ପ ଦ୍ୱାରା ପଦାବାଗ୍ରୀର ୧୫୦ ଏବଂ ପାତ୍ରବାଗ୍ରୀର ୪୦ ପରିବାରର ଚାଷଜମି ଉପକୃତ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା । ଭିତରବାଗ୍ରୀ ଗାଁ ତଳେ ଏକ ଚେକ୍ ଡ୍ୟାମ ନିର୍ମାଣ କରାଯାଇଛି । ଉକ୍ତ ପ୍ରକଳ୍ପରୁ ପାଣି ଯୋଗାଇ ଦେବାକୁ ଚାଷ ଜମିରେ ଓ ପାଣି ପାଇଁ ୧୦ ଫୁଟ୍ ତଳେ କେନାଲ କରାଯାଇଛି । ଏମିତି କି ପ୍ରତିବର୍ଷ କୋଟି କୋଟି ଟଙ୍କାର କାମ ଆଣି ବିଭାଗୀୟ ଅଧିକାରୀ ଓ ଠିକାଦାରମାନେ ମାଲେମାଲ ହେଉଛନ୍ତି । ଭଲ ଜମିରେ କେନାଲ ଖୋଳାଯିବା ପରେ ଚାଷୀ ହତାଶ ହୋଇଛନ୍ତି । ଆଜି ଯାଏ ଉକ୍ତ ପ୍ରକଳ୍ପ କୌଣସି କାମରେ ଆସୁନି ।

ଚାଷୀଙ୍କ ଜମିକୁ ଜମାରୁ ପାଣି ମାଡୁନି । ବାରମ୍ବାର ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କୁ ଗୁହାରି କଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ଏବେ କେନାଲ ଓ ଚେକଡ୍ୟାମ୍ ଶୁଖିଲା ପଡିଛି ।

ବିନା ଟଙ୍କାରେ କେବଳ କିଛିଦିନ ଶ୍ରମଦାନ କଲାପରେ ପାହାଡି ଝରଣାରୁ ପାଣି ଆଣି ପରିବା ଚାଷ କରୁଛନ୍ତି । ସରକାରଙ୍କ ବହୁ ଆଡମ୍ବରେ ଲଘୁ କ୍ରିୟା କାରଣରୁ ବିଭିନ୍ନ ଉନ୍ନୟନ ଯୋଜନା ଚାଷୀଙ୍କ ନାଁରେ ଆରମ୍ଭ ହେଉଛି ଓ ଠିକାଦାର-ବିଭାଗୀୟ ଅଧିକାରୀଙ୍କୁ ଫାଇଦା ଦେଉଛି ବୋଲି ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି, ପୂର୍ବ ଠିକାଦାର ଭୁଲ କାମ କରିଛନ୍ତି । ପୁଣି କାମ କରି ଚାଷୀଙ୍କ ଜମିକୁ ପାଣି ଯୋଗାଣ ବ୍ୟବସ୍ଥା କରାଯାଉଛି ।