ବିଜୟ ସିଂହ ବରିହାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘଦିନ ଧରି ବରିହା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ପାଂଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦ରେ ସେ ପ୍ରଥମେ ଜନତା ଦଳ ଟିକେଟ୍‌ ବଳରେ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜିତିଥିଲେ । ୧୯୯୫ରେ ପୁଣି ଜନତା ଦଳର ବିଧାୟକ ଭାବେ ପଦ୍ମପୁରକୁ ପ୍ରତିନିଧିତ୍ୱ କରିଥିଲେ ।

୨୦୦୦, ୨୦୦୯ ଓ ୨୦୧୯ରେ ବିଜେଡି ବିଧାୟକ ଭାବେ ପଦ୍ମପୁରକୁ ପ୍ରତିନିଧିତ୍ୱ କରୁଥିଲେ । ସେ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ପଦରେ ଥିଲେ । ତାଙ୍କ ମରଶରୀରକୁ ପ୍ରଥମେ ରାଜ୍ୟ ବିଧାନସଭା ଓ ପରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟକୁ ନିଆ ଯାଇଥିଲା । ବିଭିନ୍ନ ଦଳର ବହୁ ବିଶିଷ୍ଟ ଓ ବରିଷ୍ଠ ନେତା ତାଙ୍କୁ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀର ପୈତୃକ ଗ୍ରାମ ଅଭିମୁଖେ ଯାତ୍ରା କରିଛି । ଜନ୍ମମାଟିରେ ତାଙ୍କର ଦାହ କରାଯିବାର ଅଛି ।