ପ୍ରେମ ପାଇଁ ତିନିବର୍ଷର ପିଲାଙ୍କୁ ମାରିଦେଲା ମା’

ପ୍ରେମରେ କଂଟା ମଣି ତିନିବର୍ଷର ପୁଅଟିକୁ ମାରିଦେଇଛି…

କେନ୍ଦ୍ରାପଡ଼ା: ପ୍ରେମରେ କଂଟା ମଣି ତିନିବର୍ଷର ପୁଅଟିକୁ ମାରିଦେଇଛି ଜନ୍ମଦାତ୍ରୀ ମା’ । ହତ୍ୟାକାଣ୍ଡରେ ଅଭିଯୁକ୍ତ ମହିଳାଙ୍କ ପ୍ରେମିକ ମଧ୍ୟ ସାମିଲ ଥିବାର ଜଣାପଡ଼ିଛି । ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଟିଆପଡ଼ା ଗ୍ରାମରେ ଘଟିଛି । ପିଶାଚିନୀ ମା’ ସସ୍ମିତା ନାଥଙ୍କ ବାପଘର ଦୁହିଡିପୁର ଗ୍ରାମରେ ।ରିପୋର୍ଟ ମୁତାବକ ସସ୍ମିତା ମାଟିଆପଡ଼ାର ସୁକାନ୍ତ ନାଥଙ୍କୁ ବିବାହ କରିଛନ୍ତି । ତାଙ୍କର ତିନୋଟି ସନ୍ତାନ ଅଛନ୍ତି । ସୁକାନ୍ତ ବେଙ୍ଗାଲୁରୁରେ କାମ କରନ୍ତି ।

ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସସ୍ମିତା ଗୁପ୍ତିର ଗ୍ରାମର ଲକ୍ଷ୍ମୀଧର ବାଇଙ୍କୁ ଭଲ ପାଇ ବସିଲେ । ଦୁହିଁଙ୍କ ଭିତରେ ପ୍ରେମ ଏତେ ଗଭୀରକୁ ଚାଲିଗଲା ଯେ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତି ନେଲେ । ସସ୍ମିତା ତାଙ୍କର ବଡ଼ପୁଅ ଓ ଝିଅକୁ ମାମୁଁଘରେ ଛାଡ଼ିଦେବା କଥା ବିଚାର କଲେ । ମାତ୍ର ତିନିବର୍ଷର ପୁଅଟିକୁ ନେଇ ପ୍ରେମିକଙ୍କ ସହ ବହୁ ଆଲୋଚନା କଲେ । ଶେଷର ତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଉଚିତ୍‌ ମଣିଲେ । ସାନପୁଅକୁ ମାରି ଦେବାପରେ ତାକୁ ଆକସ୍ମିକ ମୃତ୍ୟୁ ରୂପ ଦେବାର ଅପଚେଷ୍ଟା କରାଗଲା ।

ମୃତପୁଅଟିକୁ ଧରି ମା’ ସସ୍ମିତା ହସ୍ପିଟାଲକୁ ଗଲେ ଓ ଛାତରୁ ପଡ଼ିଯାଇଛି କହିଲେ । ଡାକ୍ତରମାନେ ପିଲାଟିକୁ ପରୀକ୍ଷା କରି ମୃତ ଘୋଷଣା କରିଦେଲେ । ଦୁହେଁ କାହାକୁ କିଛି ନଜଣାଇ ପିଲାଟିକୁ ପୋତି ଘରକୁ ଫେରିଲେ । ସାନଭାଇକୁ ମାରି ଦିଆଯାଇଥିବା ଦୃଶ୍ୟ ଦେଖିଥିଲେ ତାଙ୍କର ଅନ୍ୟ ଦୁଇଟି ପୁଅଝିଅ । ଦୁହେଁ ମାମୁଁଙ୍କ ଆଗରେ କହିଥିଲେ ଯେ ଲକ୍ଷ୍ମୀଧର ତାଙ୍କ ସାନଭାଇକୁ ମାରି ଦେଇଛନ୍ତି । ପିଲାଙ୍କଠାରୁ ସବୁଶୁଣି ସସ୍ମିତାଙ୍କ ଭାଇ ଗ୍ରାମବାସୀଙ୍କ ସହ ମିଶି ଲକ୍ଷ୍ମୀଧରକୁ ଧରି ପୁଲିସ ଜିମା ଦେଇଦେଲେ । ପୁଲିସ ତିନୋଟି ପିଲାର ମା’ ସସ୍ମିତା ଓ ତାଙ୍କ ପ୍ରେମିକ ଲକ୍ଷ୍ମୀଧରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।