ଭଦ୍ରକ/ଧାମନଗର(ସାକ୍ସୀ ନ୍ୟୁଜ୍): ଧୂଷୁରୀରୁ ହସନାବାଦ ଦେଇ ଯାଜପୁରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାରେ ନୂତନ କଲଭର୍ଟର ଆପ୍ରୋଚ୍ ରୋଡ୍ ଭୁଶୁଡ଼ି ପଡ଼ିଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଏହି କଲଭର୍ଟର ଆପ୍ରୋଚ୍ ରୋଡ୍ ନିର୍ମାଣର ମାତ୍ର କେଇଟା ମାସ ମଧ୍ୟରେ ଭୁଶୁଡ଼ି ପଡ଼ିବା ଘଟଣା ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ରାସ୍ତାଟି ଧୂଷୁରୀ ଓ ହସନାବାଦ ସମେତ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ଯାତାୟାତ ପଥ ଅଟେ। ପ୍ରତିଦିନ ଶତାଧିକ ଲୋକ, ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀ ନିର୍ଭର କରିଥାନ୍ତି। ମାତ୍ର ନିର୍ମାଣର କିଛି ମାସ ନପୂରୁଣୁ କଲଭର୍ଟର ଆପ୍ରୋଚ୍ ରୋଡ୍ ଭୁଶୁଡ଼ି ଯିବା ସହ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଫଳରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ।
ବିଶେଷକରି ରାତି ସମୟରେ ଏହି ରାସ୍ତା ଦେଇ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ୁଛି। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ସହ ଖାଲଖମାରେ ଗାଡ଼ି ଫସି ଯାଉଥିବା ଅଭିଯୋଗ ହେଉଛି। ନବନିର୍ମିତ କଲଭର୍ଟ ଓ ଆପ୍ରୋଚ୍ ରୋଡ୍ର ଗୁଣାତ୍ମକ ମାନକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିଲେ ଦାୟୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦାବି ହୋଇଛି। ଏଥିସହ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାର ସ୍ଥାୟୀ ମରାମତି କରାଯିବା ସହ ଭବିଷ୍ୟତରେ ଏଭଳି ସମସ୍ୟା ଯେପରି ନଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।