ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗଦାନ କଲେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନ ଲୋକାର୍ପଣ କଲେ । ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ଗହଣରେ ୩୨ କିଲୋମିଟର ରେଳଯାତ୍ରା କଲେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବରିଷ୍ଠ କ୍ୟାବିନେଟ୍‌ ସହକର୍ମୀଙ୍କ ଯୋଗଦାନ କରିବା ମାମୁଲି । ବଡ଼କଥା ହେଉଛି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନ ନକରି ପଠାଇଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

ରାଷ୍ଟ୍ରପତିଙ୍କ ନିକଟରେ ବସିଥିବା ପିଲାଙ୍କୁ ସେମାନଙ୍କ ଅନୁଭୂତି ବିଷୟରେ ପଚାରିଥିଲୁ । ଜଣେ ପିଲା କହିଲା, ରାଷ୍ଟ୍ରପତିଙ୍କ ସହିତ ବିନା ଟିକେଟରେ ରେଳଯାତ୍ରା କରିବାର ମଜା ନେଲୁ । ଆମେ ଜାଣିଲୁ ଯେ ବିନା ଟିକେଟ୍‌ରେ ରେଳଯାତ୍ରା କରିବାକୁ ଚାହିଁଲେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବୁ ।

ରାଷ୍ଟ୍ରପତି ସମ୍ବଲପୁର ଯାଇ ବୁର୍ଲା ଭିସୁଟ ସମାବର୍ତନ ଉତ୍ସବରେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗଦାନ କରିଥିଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ । ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ମା’ ସମଲେଇଙ୍କ ମନ୍ଦିରକୁ ଯାଇଥିଲେ । ସେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଟୁକୁନି ସାହୁ ରାଷ୍ଟ୍ରପତିଙ୍କ ନିକଟରେ ରହିଥିଲେ ।

‘ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବା ଜନଜାତିଙ୍କ ସ୍ୱାଭିମାନ ପ୍ରତି ନବୀନଙ୍କ ସମ୍ମାନ ନା ହୀନମନ୍ୟତା, ଆମେ ବୁଝି ପାରିଲୁନି ।’ ଏ କଥା ଆମେ ନୁହେଁ, କହିଛନ୍ତି ରାଜ୍ୟ ଜନଜାତି ମହାସଂଘ ନେତା ଜଳଧର ନାୟକ ।