ନୀଳଚକ୍ରରେ ଚିଲ: ଇସ୍ତଫା ଦେଇପାରନ୍ତି ନବୀନ ପଟ୍ଟନାୟକ!
ରଥଯାତ୍ରା ଦିନ ଶ୍ରୀମନ୍ଦିର ନୀଳଚକ୍ରରେ ଗୋଟିଏ ଚିଲ କିଛି ସମୟ ପାଇଁ ବସିଥିବାର ଦେଖିବାକୁ ମିଳିଥିଲା। ବହୁ ଗଣନା କରିବା ପରେ ଜଣେ ଜ୍ୟୋତିଷ ତାକୁ ଅଶୁଭ ବିବେଚନା କରିଛନ୍ତି । ଅବଶ୍ୟ ସେହିଦିନ ଶ୍ରୀମନ୍ଦିରର କିଛି ସେବାୟତ ଉକ୍ତ ଦୃଶ୍ୟ ଦେଖି ‘କାଳିଆରେ ତୋର କ’ଣ ହେଲା? ନୀଳଚକ୍ରରେ ଚିିଲ ଦେଖାଇଲୁ, କ’ଣ ରଖିଛୁ ଆମ ପାଇଁ? ପଡ଼ିଲାରେ ବାପା ଓଡ଼ିଶାକୁ ଖରାପ ବେଳା’ କହୁଥିବାର ଶୁଣାଯାଇଥିଲା। ସମସ୍ତଙ୍କ ଆଖି ରଥଯାତ୍ରା ଉପରେ ଥିଲାବେଳେ ନୀଳଚକ୍ରରେ ଚିଲକୁ ଦେଖିଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ ଥିଲା।
ପୁରୀର ଜ୍ୟୋତିଷ ନୃସିଂହ ଚରଣ ପୂଜାପଣ୍ଡାଙ୍କ ମତରେ ୧୯୯୯ ମସିହାରେ ରଥଯାତ୍ରା ଦିନ ଶ୍ରୀମନ୍ଦିର ଶୀର୍ଷରେ ବିରାଜମାନ ନୀଳଚକ୍ରରେ ଚିଲଟିଏ ବସିଥିଲା। ପ୍ରାୟ ୪/୫ ମିନିଟ ବସିବା ଭିତରେ ଚିଲଟି ନୀଳଚକ୍ରକୁ ଥଂଟରେ ଖୁମ୍ପିଥିଲା । ସେହି ବର୍ଷ ଓଡ଼ିଶାରେ ମହାବାତ୍ୟା ହୋଇଥିଲା। ଶ୍ରୀମନ୍ଦିର ଚୂଡ଼ାରୁ ପତିତପାବନ ବାନା ଛିଣ୍ଡି ଉଡ଼ିଯାଇଥିଲା । ଘଂଟାକୁ ପ୍ରାୟ ୩୦୦ କିଲୋମିଟର ବେଗରେ ପବନ ବହିବା କାରଣରୁ ଉପକୂଳ ଜିଲ୍ଲାଗୁଡ଼ିକ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
ପୃଥିବୀର ଅନ୍ୟ କୌଣସି ଅଂଚଳରେ ଏପରି ଭୟଙ୍କର ସାମୁଦ୍ରିକ ତୋଫାନ ଘଟିଥିବାର ନଜିର ନାହିଁ । ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଓଡ଼ିଶାବାସୀ ଘଂଟାକୁ ୩୦୦ କିଲୋମିଟର ବେଗର ପବନକୁ ସାହସର ସହିତ ସାମ୍ନା କରିଥିଲେ।
ଏଥର ନୀଳଚକ୍ରରେ ଚିଲ ବସିବାର ଦେଖି କିଛି ଜ୍ୟୋତିର୍ବିଦ ଓଡ଼ିଶା ରାଜନୀତିରେ ଆକସ୍ମିକ ପରିବର୍ତନକୁ ଆଶଙ୍କା କରିଛନ୍ତି। କିଛି ଜ୍ୟୋତିଷ କହିଛନ୍ତି, ଓଡ଼ିଶାର ଜଣେ ବିଶିଷ୍ଟ ଜନନାୟକଙ୍କର ଭୟଙ୍କର କ୍ଷତି ଘଟିପାରେ।