ମରଣକୁ ଆଲିଙ୍ଗନ ଆଜିର ଫେସନ୍‌

ବିଶ୍ୱତାପନ ବୃଦ୍ଧି ନିରାକରଣକୁ ଆଖିଠାର..

ସିଗାରେଟ୍‌ ସେବନ ଶରୀର ପାଇଁ କ୍ଷତିକାରକ, ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଗୁଟ୍‌ଖା ସେବନ ଶରୀର ପାଇଁ କ୍ଷତିକାରକ । ଏଭଳି ବୈଧାନିକ ସତର୍କତା ଆଜିକାଲି ମାମୁଲି ହୋଇଯାଇଛି । ଦିନକୁ ଦିନ ସିଗାରେଟ୍‌, ଗୁଟଖା, ନିଶାପାଣି ସେବନ ହାର ବୃଦ୍ଧି ପାଉଛି । ଅଧିକାଂଶ ଲୋକ କହନ୍ତି, ‘ମଣିଷ ଜନ୍ମ ନେଇଛି ମରିବ ନିଶ୍ଚିତ । ଜୀବନଟାକୁ ମନଭରି ଉପଭୋଗ ନକରିବ କାହିଁକି?

ସମାନ ମାନସିକତା ଏବେ ପେଟ୍ରୋଲିୟମ, ଗ୍ୟାସ ଓ କୋଇଲା ବ୍ୟବହାର କ୍ଷେତ୍ରରେ ପ୍ରକାଶ ପାଇଛି । ଜୈବିକ ଶକ୍ତି ବ୍ୟବହାର କରିବା ଫଳରେ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି । ବାୟୁମଣ୍ଡଳ ପ୍ରଦୂଷିତ ହେଉଛି । ପ୍ରାକୃତିକ ପରିବେଶ କ୍ଷତିଗ୍ରସ୍ତ ହେଉଛି ବୋଲି ମିଳିତ ଜାତିସଂଘ ପକ୍ଷରୁ ବାରମ୍ବାର ସତର୍କ କରାଯାଉଛି । ସୌରଶକ୍ତିରୁ ବିଜୁଳି ଉତ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ।

ତଥାପି ବିଶ୍ୱବାସୀ ଅଧିକ ମାତ୍ରାରେ ପେଟ୍ରୋଲିୟମ, ଗ୍ୟାସ ଓ କୋଇଲା ବ୍ୟବହାର କରୁଥିବା ସର୍ବେକ୍ଷଣରୁ ଜଣାଯାଇଛି । ବିକଶିତ ଦେଶଗୁଡ଼ିକ ଅଧିକ ପରିମାଣର ଜୈବିକ ଇନ୍ଧନ ବ୍ୟବହାର କରୁଛନ୍ତି । ତା’ ସହିତ ବିଭିନ୍ନ ରାଷ୍ଟ୍ରକୁ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ ଓ କୋଇଲା ଯୋଗାଣ କରି ଅର୍ଥନୀତି ମଜଭୁତ କରୁଛନ୍ତି । ସୌରଶକ୍ତି ବ୍ୟବହାର ପ୍ରତି ଲୋକମାନେ ଆଗ୍ରହ ଦେଖାଉ ନାହାନ୍ତି । ଭାରତ ଭଳି ଦେଶରେ ମଧ୍ୟ ସୌରଶକ୍ତି ବ୍ୟବହାର ପ୍ରତି ଲୋକମାନେ ଗୁରୁତ୍ୱ ଦେଉନାହାନ୍ତି ।

ବହୁ ଆନ୍ତର୍ଜାତିକ ସଂସ୍ଥା ସୌରଶକ୍ତି ପ୍ୟାନେଲ, ସୌରଶକ୍ତି ସାଇତି ରଖିବା ପାଇଁ ଶକ୍ତିଶାଳୀ ଗୁଣାତ୍ମକ ମାନର ବ୍ୟାଟେରୀ ତଥା ଅନ୍ୟାନ୍ୟ ସରଞ୍ଜାମ ଉତ୍ପାଦନ କରୁଥିଲେ ମଧ୍ୟ ତା’ର ବ୍ୟବସାୟ ଧିମା ହୋଇଛି । ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି, ଗତବର୍ଷ ବିଶ୍ୱସ୍ତରରେ ବ୍ୟବହୃତ ମୋଟ ଶକ୍ତିର ପ୍ରାୟ ୮୨ ଭାଗ କୋଇଲା, ପେଟ୍ରୋଲିୟମ ଓ ଗ୍ୟାସ ବ୍ୟବହାର କରାଯାଇଛି ଯାହା ପୂର୍ବବର୍ଷ ତୁଳନାରେ ୧% ଭାଗ ଅଧିକ ।

ସୂଚନାନୁସାରେ ଗତବର୍ଷ ସୌରଶକ୍ତି ଉତ୍ପାଦନ ୨୫% ଓ ପବନଚାଳିତ ଶକ୍ତି ଉତ୍ପାଦନ ୧୩.୫% ହୋଇଥିଲା । ୨୦୨୨ରେ ବିଶ୍ୱ ପାଣିପାଗ ବଦଳିବାର ପ୍ରଭାବ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରବଳ ବନ୍ୟାରେ ଲକ୍ଷାଧିକ ବିପନ୍ନ ସାଙ୍ଗକୁ ୟୁରୋପ ଓ ଉତର ଆମେରିକାରେ ଘଟିଯାଇଛି କିଛି ପ୍ରାକୃତିକ ସଂକଟ । ପ୍ୟାରିସ ସମ୍ମିଳନୀରୁ କିଛି ଶୁଭଫଳ ମିଳିବାର ଆଶଙ୍କା କରାଯାଉଛି ।