ଭୁବନେଶ୍ୱର ଏବଂ ରାଉରକେଲା ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଅବସରପ୍ରାପ୍ତ ଜେନେରାଲ ଡକ୍ଟର ବିଜୟ କୁମାର ସିଂ ଉପସ୍ଥିତ ଥିଲେ । ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଆରସିଏସ ଉଡ଼ାନ ଯୋଜନା ଅଧୀନରେ ଏହି ବିମାନ ମାର୍ଗ ଉଦଘାଟିତ ହୋଇଥିଲା।

 

ଏହି ନୂଆ ବିମାନ ମାର୍ଗ ଓଡ଼ିଶାର ଏହି ଦୁଇଟି ବୃହତ ସହରରେ ଆଞ୍ଚଳିକ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ବାଣିଜ୍ୟ, ବ୍ୟବସାୟ ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ୭ ଜାନୁଆରୀ ୨୦୨୩ ଠାରୁ ଆରମ୍ଭ ହୋଇଥିବା ଏହି ବିମାନ ସେବା ସପ୍ତାହକୁ ୭ ଦିନ ଜାରି ରହିବ।

ପ୍ରସ୍ଥାନ ସହର ଗନ୍ତବ୍ୟ ସହର ପ୍ରସ୍ଥାନ ଆଗମନ ସେବା
ଭୁବନେଶ୍ୱର ରାଉରକେଲା 1455 1550 ଦୈନିକ
ରାଉରକେଲା ଭୁବନେଶ୍ୱର 1615 1710 ଦୈନିକ

 

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କର ଉଦଘାଟନୀ ବକ୍ତବ୍ୟରେ ଭୁବନେଶ୍ୱର ଓ ରାଉରକେଲା ସହରବାସୀଙ୍କୁ ବିମାନ ସେବାର ଶୁଭାରମ୍ଭ ପାଇଁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ଆଠ ବର୍ଷ ମଧ୍ୟରେ ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଦେଖିବାକୁ ମିଳିଛି । ୨୦୧୪ ପୂର୍ବରୁ ଦେଶରେ ମାତ୍ର ୭୪ଟି ବିମାନ ବନ୍ଦର ଥିଲା, ଆଜି ଏହି ସଂଖ୍ୟା ହେଲିପୋର୍ଟ ଏବଂ ୱାଟର ଏରୋଡ୍ରମକୁ ମିଶାଇ ୧୪୮ରେ ପହଞ୍ଚିଛି। ଆଠ ବର୍ଷ ମଧ୍ୟରେ ଶତପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

Image

ଶ୍ରୀ ସିନ୍ଧିଆ ଆହୁରି କହିଥିଲେ ଯେ, ମହାମାରୀ ପୂର୍ବରୁ ଗୋଟିଏ ଦିନରେ ଚାରି ଲକ୍ଷ କୋଡ଼ିଏ ହଜାର ଯାତ୍ରୀ ବିମାନ ଯାତ୍ରା କରି ଏକ ରେକର୍ଡ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ଏହି ରେକର୍ଡ ଭାଙ୍ଗିଛି ଏବଂ ଗୋଟିଏ ଦିନରେ ସାଢ଼େ ଚାରି ଲକ୍ଷରୁ ଅଧିକ ଯାତ୍ରୀ ବିମାନରେ ଯାତ୍ରା କରିଛନ୍ତି । ୨୦୨୨ ଡିସେମ୍ବର ମାସରେ ଦୈନିକ ୪ ଲକ୍ଷରୁ ଅଧିକ ଯାତ୍ରୀ ବିମାନ ଯାତ୍ରା କରୁଥିଲେ ।

ଆଗାମୀ ହକି ବିଶ୍ୱକପ ଏହି ଦୁଇ ସହରରେ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଥିଲେ ଯେ, ପୂର୍ବରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବା ପାଇଁ ୯ ଘଣ୍ଟା ଯାତ୍ରା କରିବାକୁ ପଡ଼ୁଥିଲା, କିନ୍ତୁ ଏବେ ବିମାନ ଜରିଆରେ ମାତ୍ର ଏକ ଘଣ୍ଟା ୧୦ ମିନିଟରେ ପହଞ୍ଚି ହେବ।

Image

ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଅବସରପ୍ରାପ୍ତ ଜେନେରାଲ ଡକ୍ଟର ବିଜୟ କୁମାର ସିଂ ବିମାନ ସେବା ଆରମ୍ଭ ପାଇଁ ଦୁଇ ସହରବାସୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଦେଖିବାକୁ ମିଳିଛି।

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଶ୍ରୀ ଜୁଏଲ ଓରାମ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବେସାମରିକ ବିମାନ ଚଳାଚଳ ସଚିବ ଶ୍ରୀ ରାଜୀବ ବଂଶଲ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ କୁମାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଆସାଙ୍ଗବା ଚୁବା ଆଓ, ଏଆଇଏଏଚଏଲର ସିଏମଡି ଶ୍ରୀ ବିକ୍ରମ ଦେବଦତ୍ତ, ଆଲାଏନ୍ସ ଏୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ବିନୀତ ସୁଦ ପ୍ରମୁଖ ଉପସ୍ଥିତ ଥିଲେ ।