ଓଡ଼ିଶାର ଧନୀ ପରିବାରରୁ ହକି ତାରକା ଶୂନ

ହକି ଦଳରେ ଓଡ଼ିଶାର ଏକାଧିକ ଖେଳାଳି

ହକି ଖେଳିବା ପାଇଁ ଦରକାର ବଳିଷ୍ଠ ଶରୀର..

ଭୁବନେଶ୍ୱର,(ସାକ୍‌ସୀ ନିୟୁଜ): ହକି ଖେଳିବାକୁ ହେଲେ ମାଟି ସହିତ ମିଶିଯିବାକୁ ପଡ଼ିବ । ହାତରେ ହକିଷ୍ଟିକ୍‌ ଧରି ବଲ ପଛରେ ଗୋଡ଼ାଇ ଗୋଡ଼ାଇ ପିଟି ଚାଲିବା ସହଜ କଥା ନୁହେଁ । ଓଡ଼ିଶାର ଧନୀ ପରିବାରର କଉତୁକିଆ ଛୁଆମାନେ ହାତରେ କ୍ରିକେଟ୍‌ ବ୍ୟାଟ୍‌ ଧରି ଚଉକା ଛକା ମାରିବାକୁ ଆଗ୍ରହୀ । କିନ୍ତୁ ବଲ ପଛରେ ଧାଇଁ ଧାଇଁ ଦେହରୁ ନିଗାଡ଼ିବାକୁ ବିଳାସମୟ କୋଠାର ମାଲିକମାନେ ସେମାନଙ୍କ ପୁଅଝିଅକୁ ପ୍ରେରଣା ଦିଅନ୍ତି ନାହିଁ । ଖେଳିବ ଯଦି କ୍ରିକେଟ୍‌, ଚେସ୍‌, ଟେନିସ୍‌, ଗଲ୍‌ଫ ଖେଳ । ସେଗୁଡ଼ାକ ଖେଳିଲେ ଧନୀ ପରିବାରର ସାମାଜିକ ପ୍ରତିଷ୍ଠା ବଢ଼ିବ ।

କବାଡ଼ି, ଖୋଖୋ, ଫୁଟବଲ, ଭଲିବଲ, ହକି ଖେଳରୁ କି ଲାଭ ମିଳିବ । ଏଭଳି ଏକ ଦୁର୍ବଳ ମାନସିକତା ଆଜି ହକିକୁ ଗୌରବମୟ ଇତିହାସରୁ ବଂଚିତ କରିଛି । କ୍ରିକେଟ୍‌ ଏକ ବିଦେଶୀ ଖେଳ ହୋଇ ଆଜି ପ୍ରତ୍ୟେକ ଭାରତୀୟଙ୍କର ଏକନମ୍ବର ପ୍ରିୟ ଖେଳ ହୋଇଥିଲା ବେଳେ ଭାରତ କୋଳରୁ ଜନ୍ମିତ ହକି ଆଜି ନିଜ ପରିଚୟ ଖୋଜୁଛି କ’ଣ ପାଇଁ?

ଆଜି ଭାରତର ପୁରୁଷ ଓ ମହିଳା ହକି ଦଳରେ ଓଡ଼ିଶାର ଏକାଧିକ ଖେଳାଳି ଅଛନ୍ତି । ମାତ୍ର ସେମାନଙ୍କ ଭିତରୁ ଜଣେ ମଧ୍ୟ ବିଶିଷ୍ଟ ଶିଳ୍ପପତି, ପ୍ରଶାସନିକ ଅଧିକାରୀ, ବ୍ୟବସାୟୀ ପରିବାରର ପୁଅଝିଅ ନାହାନ୍ତି । ତା’ର ପ୍ରଧାନ କାରଣ ହେଉଛି ଚାକଚକ୍ୟପୂର୍ଣ୍ଣ ପରିବେଶ । ବିଳାସମୟ କୋଠାର ଶୀତତାପ ନିୟନ୍ତ୍ରିତ କକ୍ଷରେ ପରିଶ୍ରମକାତର ମା’ ଗର୍ଭରୁ ଜନ୍ମ ନେଉଥିବା ପୁଅଝିଅଙ୍କର ଶାରୀରିକ ଗଠନ ହକି ପାଇଁ ସଂପୂର୍ଣ୍ଣ ଅନ୍‌ଫିଟ୍‌ ।

ହକି ଖେଳିବା ପାଇଁ ଦରକାର ବଳିଷ୍ଠ ଶରୀର । ବୈଶାଖ ମାସର ଖରାରେ ଘଂଟାକୁ ୮ କିଲୋମିଟର ଦଉଡ଼ିବା ଭଳି ତାକତ୍‌ ରହିବା ଦରକାର । ପ୍ରବଳ ବର୍ଷାରେ ଭିଜିଲେ ମଧ୍ୟ ନାକରୁ ପାଣି ବହୁ ନଥିବ । ହାଡ଼ଥରା ଶୀତରେ ଦାନ୍ତ ଥରୁ ନଥିବ ।
ସାଧାରଣ ପରିବାରରେ ବାପାମା’ମାନେ ଯେତିକି ରୋଜଗାର କରନ୍ତି । ସେତିକିରେ ପରିବାର ଗୁଜୁରାଣ ମେଂଟାଇଥାନ୍ତି । ପିଲାଙ୍କ ହାତକୁ ବ୍ୟାଟ୍‌, ବଲ୍‌, ୱିକେଟ୍‌, ନେଟ୍‌, ଗ୍ଲୋଭ୍‌ସ, ହେଲମେଟ୍‌ ଯୋଗାଇବାର ସମ୍ବଳ ସେମାନଙ୍କ ପାଖରେ ନଥାଏ । ତେଣୁ ସେମାନଙ୍କ ପିଲାମାନେ ସରକାରୀ ସ୍କୁଲରେ ପାଠ ପଢ଼ନ୍ତି । ଆତଗଛର କଷିଫଳକୁ ବଲ ଓ ବାଉଁଶ ଅବା କାଠରେ ତିଆରି ବାଡ଼ି ସାହାଯ୍ୟରେ ହକି ଖେଳନ୍ତି । କନାରେ ତିଆରି ବଲକୁ ଗୋଡ଼ରେ ମାରି ଫୁଟବଲ ଖେଳନ୍ତି । ସେମାନଙ୍କ ଖେଳକୁ ଦେଖି ଧନୀଘରର ପିଲାମାନେ ଉପହାସ କରନ୍ତି । ନାକ ଟେକନ୍ତି । ମାତ୍ର ସେଇ ପିଲାଙ୍କ ଭିତରୁ କେହି ଆପଣା ଉଦ୍ୟମ ବଳରେ ଜାତୀୟ ସ୍ତରକୁ ପ୍ରତିନିଧିତ୍ୱ କଲେ, ତାକୁ ଟଙ୍କା ପୁଟୁଳି ଦେଖାଇ ଭଲ ଖେଳିବାକୁ ଲୋଭ ଦେଖାନ୍ତି ।

ସରକାରୀ ସ୍ତରରେ ପ୍ରତି ବିଦ୍ୟାଳୟ ଓ କଲେଜରେ ହକିକୁ ପ୍ରୋତ୍ସାହନ ଦିଆଯିବା ଦରକାର ବୋଲି ଆମ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡକୁ ବୁଦ୍ଧି ଜୁଟୁନି । ଗରିବ ଲୋକଙ୍କର ଝାଳବୁହା ଧନକୁ ହକି ବିଶ୍ୱକପ୍‌ ଆୟୋଜନ ପଛରେ ପାଣି ପରି ବୁହାଇବାର ବୁଦ୍ଧି ଅଛି ।