ଓଡିଶା ନ୍ୟାୟପାଳିକାଙ୍କ ଜାତିଗତ ରାୟକୁ ତୀବ୍ର ଭର୍ତ୍ସନା କଲେ ସୁପ୍ରିମକୋର୍ଟ
ଓଡିଶା ହାଇକୋର୍ଟ ଓ ରାୟଗଡାର କେତେକ କୋର୍ଟ …
ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟ ଓ ରାୟଗଡାର କେତେକ କୋର୍ଟ ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ଅଭିଯୁକ୍ତମାନଙ୍କୁ ଦୁଇମାସ ପାଇଁ ପୁଲିସ ଷ୍ଟେସନ ସଫା କରିବା ପରି ବାଧ୍ୟତାମୂଳକ ଜାମିନ ସର୍ତାବଳୀ ଲାଗୁ କରିବାକୁ ସୁପ୍ରିମକୋର୍ଟ ତୀବ୍ର ନିନ୍ଦା କରିଛନ୍ତି। ଏପରି ଏକ ମାମଲାର ରାୟ ଦେଇ ସୋମବାର ସୁପ୍ରିମକୋର୍ଟ ଓଡିଶା ନ୍ୟାୟପାଳିକାଙ୍କ ନିର୍ଦ୍ଦେଶାବଳୀକୁ ଅତ୍ୟନ୍ତ ନୀଚମାନର କହିଥିଲେ। କୋର୍ଟ ଆହୁରି କହିଥିଲେ ଯେ, ଏହା ନ୍ୟାୟପାଳିକାଙ୍କ ଦ୍ୱାରା ଜାତିଗତ ପକ୍ଷପାତକୁ ପ୍ରତିଫଳିତ କରୁଛି। କୋର୍ଟ ତାଙ୍କ ରାୟରେ କହିଛନ୍ତି, ଓଡ଼ିଶା ନ୍ୟାୟପାଳିକା ମାନବାଧିକାରକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛି। ଅପମାନଜନକ ସର୍ତାବଳୀ ପ୍ରବର୍ତନ କରି ଉପନିବେଶବାଦୀ ମାନସିକତା ପ୍ରଦର୍ଶନ କରିଛି। ଏପରି ରାୟ ଅଭିଯୁକ୍ତଙ୍କ ମର୍ଯ୍ୟାଦା ପ୍ରତି ଆଘାତ କରେ। ଜାମିନ ସର୍ତାବଳୀକୁ ‘ଅବୈଧ’ ଘୋଷଣା କରି ଭବିଷ୍ୟତରେ ଅନ୍ୟ କୌଣସି ରାଜ୍ୟ ନ୍ୟାୟପାଳିକା ଏପରି ଜାତିଗତ ଓ ଦମନକାରୀ ସର୍ତାବଳୀ ଲାଗୁ କରିବାକୁ ବାରଣ କରିଛନ୍ତି।
ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେବା ସହିତ ଦେଶର ସମସ୍ତ ହାଇକୋର୍ଟଙ୍କୁ ଏହି ରାୟର କପି ପଠାଇଛନ୍ତି। କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତମାନେ ଅବହେଳିତ ସମ୍ପ୍ରଦାୟରୁ ହୋଇଥିବାରୁ ଏପରି ଦୁର୍ଭାଗ୍ୟଜନକ ପରିସ୍ଥିତିରୁ ଏକ ଧାରଣା ସୃଷ୍ଟି ହୁଏ ଯେ, ରାଜ୍ୟ ନ୍ୟାୟପାଳିକା ଜାତିଗତ ପକ୍ଷପାତିତା କରୁଛି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ସର୍ତାବଳୀ ସମ୍ପର୍କରେ ରିପୋର୍ଟ ଉପରେ ପଞ୍ଜିକୃତ ଏକ ସ୍ୱତଃପ୍ରବୃତ ମାମଲା ଉପରେ ବିଚାର କରି ଏପରି ରାୟ ଦେଇଛନ୍ତି। ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଦୁର୍ଭାଗ୍ୟବଶତଃ, ଓଡ଼ିଶାର ହାଇକୋର୍ଟ ଓ କିଛି ଟ୍ରାଏଲ୍ କୋର୍ଟ ଏହି ଜାମିନ ସର୍ତାବଳୀ ଲାଗୁ କରୁଛନ୍ତି, ଯାହା ଘୃଣା ଏବଂ ଜାତିଭିତିକ ପକ୍ଷପାତିତାକୁ ପ୍ରତିଫଳିତ କରୁଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମେ’ ୨୮, ୨୦୨୫ରେ ଓଡିଶା ହାଇକୋର୍ଟ ଏପରି ରାୟ ପ୍ରଦାନ କରିଥିଲେ। କୁମେଶ୍ୱର ନାଏକଙ୍କୁ କାଶୀପୁର ପୁଲିସ ଷ୍ଟେସନ ସଫା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମେ’ ୨୦୨୫ରୁ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ଏପରି ଆଠଟି ରାୟ ପ୍ରକାଶ ପାଇଥିବା ବେଳେ ୭ଟି ରାୟ ରାୟଗଡା ଜିଲ୍ଲାର ବିଭିନ୍ନ କୋର୍ଟ ଓ ଗୋଟିଏ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିଲା।