ଭୁବନେଶ୍ୱର: ‘ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ’ (ଓପିଟିସିଏଲ୍) ପକ୍ଷରୁ ସୋମବାର ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଂଟର (ପିଟିସି) ଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଓପିଟିସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମାଙ୍କ ଉପସ୍ଥିତିରେ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି। ଶକ୍ତିମନ୍ତ୍ରୀ ସିଂହଦେଓ କହିଛନ୍ତି, ଏହି ନୂତନ ଲାବୋରେଟୋରୀଟି ଓପିଟିସିଏଲର ବୈଷୟିକ ଦକ୍ଷତା, ଗ୍ରୀଡ୍ ପରିଚାଳନା ଏବଂ କାର୍ଯ୍ୟ ବିଶ୍ୱସନୀୟତାକୁ ସୁଦୃଢ଼ କରିବା ପାଇଁ ପରିକଳ୍ପନା କରାଯାଇଛି।
ଅତ୍ୟାଧୁନିକ ସିମୁଲେସନ ଉପକରଣ ଦ୍ୱାରା ସଜ୍ଜିତ ଏହି ଲ୍ୟାବ୍ ଇଞ୍ଜିନିୟରମାନଙ୍କୁ ଜଟିଳ ଗ୍ରୀଡ୍ ପରିସ୍ଥିତିର ମଡେଲିଂ କରିବା, ଲୋଡ୍ ସଂଚରଣ ବିଶ୍ଳେଷଣ କରିବା ଏବଂ ବାସ୍ତବ ସମୟରେ ବିଦ୍ୟୁତ ସଙ୍କଟ ବା ତ୍ରୁଟିପୂର୍ଣ୍ଣ ଅବସ୍ଥାର ଅନୁକରଣ କରିବାରେ ସାହାଯ୍ୟ କରିବ। ଏହାଦ୍ୱାରା ଓଡ଼ିଶାର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ଏବଂ ଅକ୍ଷୟ ଶକ୍ତିର ସଂଯୋଗୀକରଣ ପାଇଁ ଏକ ସୁଦୃଢ଼ ଓ ଭବିଷ୍ୟତ-ଉପଯୋଗୀ ଟ୍ରାନ୍ସମିସନ ନେଟୱାର୍କ ନିଶ୍ଚିତ ହୋଇପାରିବ।
ଓପିଟିସିଏଲର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡାଇରେକ୍ଟର ଭାସ୍କରଜ୍ୟୋତି ଶର୍ମା କହିଛନ୍ତି ଯେ, ଏହି ଲ୍ୟାବ୍ ଦକ୍ଷତା ବୃଦ୍ଧି, ଗବେଷଣା ଏବଂ ନୂତନତ୍ୱ ପାଇଁ ଏକ ଉକ୍ରର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏହା ଓପିଟିସିଏଲ୍ ଏବଂ ଏସ୍ଏଲ୍ଡିସି ଇଞ୍ଜିନିୟରମାନଙ୍କୁ ପ୍ରାୟୋଗିକ ତାଲିମ ପ୍ରଦାନ ସହ ନିଷ୍ପତି ନେବାରେ ସହାୟକ ହେବ। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ, ଏସ୍ଏଲ୍ଡିସି ବିବି ମେହେଟ୍ଟା, ନିର୍ଦ୍ଦେଶକ, ଅପରେସନ ପ୍ରଶାନ୍ତ କୁମାର ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ଅର୍ଥ ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ସାହୁ ଏବଂ ସିଜିଏମ (ମାନବ ସମ୍ବଳ ବିକାଶ) ଅନିତା ମହାପାତ୍ରଙ୍କ ସମେତ ଓପିଟିସିଏଲର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।