ଭବାନୀପାଟଣା: କେନ୍ଦୁଝରର ଜିତୁ ମୁଣ୍ଡା ତାଙ୍କ ଭଉଣୀର କଙ୍କାଳକୁ କାନ୍ଧରେ ବୋହି ବ୍ୟାଙ୍କକୁ ନେବା ଘଟଣା ସାରାବିଶ୍ୱରେ ଆଲୋଡନ ସୃଷ୍ଟି କରିଛି। ଏତିକି ବେଳେ ସମସ୍ତଙ୍କର ମନେପଡ଼ିଛି ଦାନ ମାଝୀ କଥା। ଦାନ ମାଝି ତାଙ୍କ ପତ୍ନୀଙ୍କ ଶବକୁ କାନ୍ଧରେ ପକାଇ ୧୨ କିମି ରାସ୍ତା ଚାଲିବା ଘଟଣା ସେତେବେଳେ ରାଜ୍ୟର ବିଜେଡି ଶାସନକୁ ସମାଲୋଚନାର ପାତ୍ର କରିଥିଲା। ୧୦ ବର୍ଷ ପରେ ଦାନ ମାଝୀଙ୍କ ଗାଁ ମେଲଘରାର ମେଟାଲ୍ ରାସ୍ତା ପିଚୁ ହୋଇ ଚିକ୍ଚିକ୍ କରୁଛି। କିନ୍ତୁ ବଦଳିନି ଗାଁର ଭାଗ୍ୟ। ବିଦ୍ୟୁତ୍ ଖୁଂଟ ପୋତା ହୋଇଛି, ଅଥଚ ତାର ନାହିଁ। ଦାନସୂତ୍ରରେ ପାଇଥିବା ଅର୍ଥରେ ଦାନଙ୍କ ନୂଆ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନି। ସରକାରଙ୍କ ଯୋଜନା ପେଡି ଭିତରେ ମେଲଘରା ଗାଁ ପାଇଁ ଏବେ ମଧ୍ୟ ବିକାଶ ସଉତୁଣୀ ସଦୃଶ।
୨୦୧୬ ମସିହା ଜୁଲାଇ ୨୪ ତାରିଖରେ ଦାନ ମାଝୀ ପତ୍ନୀ ଅମଙ୍ଗ ଦେଈଙ୍କ ଶବକୁ କାନ୍ଧରେ ବୋହି ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରୁ ଶଗଡା ଚେକ୍ ଗେଟ୍ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ରାସ୍ତା ଚାଲି ଚାଲି ଯାଇଥିଲେ। ଏହି ଘଟଣା ପରେ ରାଜନେତାଙ୍କଠାରୁ ଆରମ୍ଭ କରି ପୂରା ପ୍ରଶାସନିକ କଳ ମେଲଘରା ଗାଁ’କୁ ଉଠି ଆସିଥିଲା। ବିଭିନ୍ନ ସୂତ୍ରରୁ ଅର୍ଥ ପାଇ ଦାନ ମାଝୀ ଗାଁ ମୁଣ୍ଡରେ ଆବାସ ଯୋଜନାରେ ଏକ ପକ୍କା ଘର ନିର୍ମାଣ କରିଛନ୍ତି। ଘର ନିକଟରେ ବିଦ୍ୟୁତ୍ ଖୁଂଟ ପୋତା ଯାଇଛି। କିନ୍ତୁ ତାର ନଥିବା କାରଣରୁ ଦୀର୍ଘ ୧୦ ବର୍ଷ ଧରି ବିଜୁଳି ସଂଯୋଗ ହୋଇନି। ଗ୍ରାମବାସୀଙ୍କ ପାଇଁ ଆଜି ମଧ୍ୟ ବିଦ୍ୟୁତ୍ ସ୍ୱପ୍ନ ପାଲଟିଛି। ଭାଗ୍ୟକୁ ଆଦରି ପୂର୍ବର ମାଟିଘରେ ରହୁଛନ୍ତି ଦାନ ଓ ତାଙ୍କ ପରିବାର।
ଗାଁରେ ଥିବା ଏକମାତ୍ର ନଳକୂଅରୁ ଖରାଦିନେ ପାଣି ମିଳେନ। ଗାଧୋଇବା ନିମନ୍ତେ ଘର ନିକଟ ଦୂଷିତ ନାଳପାଣି ବ୍ୟବହାର କରନ୍ତି। ପାନୀୟଜଳ ପାଇଁ ନାଗାବଳି ନଦୀରୁ ଗାଁ’କୁ ପାଇପ୍ ଜଳଯୋଗାଣ ହୋଇଥିଲା। ଦେଢ଼ବର୍ଷ ପୂର୍ବେ ବନ୍ୟା କାରଣରୁ ପାଇପ୍ ଧୋଇ ଯାଇଛି। ପାନୀୟଜଳ ଏବେ ବି ଗ୍ରାମବାସୀଙ୍କ ପାଇଁ ଅପହଂଚ। ପୁରୁଣା ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଅସୁରକ୍ଷିତ ଘୋଷଣା ପରେ ନୂତନ ଗୃହ ନିର୍ମାଣ ହୋଇଛି। ବାର୍ଦ୍ଧକ୍ୟ ଭତା ଓ ରାସନ ସାମଗ୍ରୀ ପାଇଁ ଲୋକେ ପ୍ରାୟ ୬ କିମି ଦୂର ନାକରୁଣ୍ଡି ପଂଚାୟତ ଉପରେ ନିର୍ଭର କରୁଛନ୍ତି। ଗାଁ ଲୋକେ ନାକରୁଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏହି ରାସ୍ତା ଦେଇ ବାଇକ୍ ଓ ଆମ୍ବୁଲାନ୍ସ ଯାତାୟାତ କରିଥାଏ। ନାକରୁଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର କେବଳ ରେଫରାଲ୍ ଡାକ୍ତରଖାନା ହୋଇଛି। ଅଂଚଳର ଶୋଭା ବଢ଼ାଇଛି ଚକାଚକ୍ କୋଠା। ଅଧିକାଂଶ ରୋଗୀ ଭବାନୀପାଟଣା ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ନାକରୁଣ୍ଡିରୁ ମେଲଘରା ବିପଦସଙ୍କୁଳ ରାସ୍ତା ପିଚୁ ହୋଇଯାଇଛି। ୧୦ ବର୍ଷରେ କେବଳ ରାସ୍ତା ବଦଳିଛି। ମାତ୍ର ମେଲଘରା ଗାଁର ବିକାଶ ଶୋଇଯାଇଛି।