ପିଲାଙ୍କ ଗହଣରେ ‘ମନ୍‌ କି ବାତ୍‌’ ଶୁଣିଲେ ମୁଖ୍ୟମନ୍ତ୍ରୀ: ନବସୃଜନ ପ୍ରତି ଗୁରୁତ୍ୱ

ସ୍କୁଲପିଲାଙ୍କ ଗହଣରେ ‘ମନ୍‌ କି ବାତ୍‌’ ଶୁଣିଲେ ….

ଭୁବନେଶ୍ୱର: ସ୍କୁଲପିଲାଙ୍କ ଗହଣରେ ‘ମନ୍‌ କି ବାତ୍‌’ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ୱର ସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ଆଜି ଥିଲା ୧୩୦ତମ ଅଧ୍ୟାୟ।

ମୁଖ୍ୟମନ୍ତ୍ରୀ ସ୍କୁଲ ପରିସରରେ ଏହି କାର୍ଯ୍ୟକ୍ରମ ଶୁଣିବା ସହିତ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ। ଏଥି ସହିତ ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଭାରତ ବର୍ଷର ସଫଳତା ବିଷୟରେ ଆଲୋକପାତ କରି ପିଲାମାନେ ସବୁବେଳେ ନବସୃଜନ ଉପରେ ଗୁରୁତ୍ୱ ଦେବା ପାଇଁ ଉପଦେଶ ଦେଇଛନ୍ତି। ରବିବାର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ରଖିଥିବା ତାଙ୍କର ପ୍ରତ୍ୟେକ ପ୍ରେରଣାଦାୟୀ ବିଚାର ସମ୍ପର୍କରେ ପିଲାମାନଙ୍କ ସହ ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଆଜି ଥିଲା ଜାତୀୟ ମତଦାତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବ ଭୋଟରମାନଙ୍କୁ ଭୋଟର ଲିଷ୍ଟରେ ନାମ ପଞ୍ଜୀକୃତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏଥିସହିତ ଇଣ୍ଡଷ୍ଟ୍ରି ଓ ଷ୍ଟାର୍ଟଅପ୍‌ କ୍ଷେତ୍ରରେ କ୍ୱାଲିଟିକୁ ସର୍ବାଗ୍ରେ ରଖିବା, ସ୍ୱଚ୍ଛତା ଓ ପରିବେଶ ପ୍ରଦୂଷଣ ପ୍ରତି ସଚେତନତା ବୃଦ୍ଧି ଭଳି ଅନେକ ପ୍ରେରଣାଦାୟୀ ବାର୍ତା ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସଫଳତା ଓ ନବସୃଜନ ଉପରେ ଗୁରୁତ୍ୱ ଦେଇ ଦେଶବାସୀଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେଇ ଆସୁଛନ୍ତି। ଭୁବନେଶ୍ୱରରେ ଏକ ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ, ବରିଷ୍ଠ ନେତୃବୃନ୍ଦ ଓ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।