ଭୁବନେଶ୍ୱର: ଦଳରେ ଅସନ୍ତୋଷ ପରେ ୟୁ ଟର୍ଣ୍ଣ ମାରିଛି କଂଗ୍ରେସ। ବିଜେଡି ସହ ସମ୍ପର୍କକୁ ନେଇ ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ଜିଲ୍ଲା ପରିଷଦ, ପଂଚାୟତ, ମୁନିସିପାଲଟି ନିର୍ବାଚନରେ ନିଜ ଦମ୍ରେ କଂଗ୍ରେସ ଏକାକୀ ଲଢ଼ିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ। ତେବେ ବିଧାନସଭା ନିର୍ବାଚନ ବେଳେ ଆବଶ୍ୟକ ପଡ଼ିଲେ ହାଇକମାଣ୍ଡ କହିଲେ ବିଜେଡି ସହ ବୁଝାମଣା ହେଇପାରେ ବୋଲି କହିଛନ୍ତି ପିସିସି ସଭାପତି। ସୂଚନା ଥାଉ କି, ଗତ ରାଜ୍ୟସଭା ନିର୍ବାଚନ ସମୟରେ କଂଗ୍ରେସ ଏବଂ ବିଜେଡି ହାତ ମିଳାଇଥିଲେ।
ଯଦିଓ ଉଭୟ ବିରୋଧି ଦଳ ବିଜେପି ଆଗରେ ହାର ମାନିଥିଲେ, ତଥାପି ଉଭୟେ ରାଜ୍ୟରେ ଆଗକୁ ହେବାକୁ ଥିବା ପଂଚାୟତ ନିର୍ବାଚନ ଏକାଠି ଲଢ଼ିବେ ବୋଲି ଏକପ୍ରକାର କଳ୍ପନା ଜଳ୍ପନା ଲାଗି ରହିଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ଏପ୍ରିଲ ୧୩ ତାରିଖର ଏକ ବୟାନ ଏହି ଚର୍ଚ୍ଚାକୁ ଆଗକୁ ବଢ଼ାଇଥିଲା। ତେବେ କଂଗ୍ରେସ ଓ ବିଜେଡି ମଧ୍ୟରେ ଆଗାମୀ ଦିନରେ ନିର୍ବାଚନୀ ମେଂଟର ନିଷ୍ପତି ହାଇକମାଣ୍ଡ ନେବେ ବୋଲି କହିଥିଲେ ଭକ୍ତ।
କେବଳ ଭକ୍ତ ନୁହଁନ୍ତି ବରଂ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ମଧ୍ୟ ଭକ୍ତଙ୍କ ଏହି ବୟାନକୁ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ, ସବୁ କ୍ଷେତ୍ରରେ ସମ୍ଭାବନା ରହିଛି, ଯଦି ପିସିସି ସଭାପତି ଏପରି କିଛି କହିଛନ୍ତି ତାହାହେଲେ କିଛି ଅନୁଧ୍ୟାନ କରି କହିଥିବେ।’
ଉଭୟଙ୍କ ଏହି ବୟାନ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଂଟ ସମ୍ଭାବନାକୁ ଖୋରାକ ଯୋଗାଉଥିବା ବେଳେ ପିସିସି ସଭାପତିଙ୍କ ଆଜିର ପ୍ରତିକ୍ରିୟା କିଛି ଭିନ୍ନ ଦିଗ ଦେଖାଉଛି। ରାଜନୀତିରେ କିଛି ବି ନିଷ୍ପତି ବଦଳିପାରେ।
ବର୍ତମାନ ଓଡିଶାର ରାଜନୈତିକ ସ୍ଥିତି ଯାହା ରହିଛି, ସେଥିରେ ବିଜେଡି ଓ କଂଗ୍ରେସ ମେଂଟ ଆବଶ୍ୟକତା ରହିଥିବା କଥା ରାଜନୈତିକ ପଣ୍ଡିତଙ୍କ ମଧ୍ୟରେ ବେଶ୍ ଆଲୋଚନା ହେଉଛି।