ବିଧାନସଭା ପରିସରରେ ଆରମ୍ଭ ହେଲା କୋଭିଡ଼ ଟେଷ୍ଟିଂ

ଭୁବନେଶ୍ୱର(ଏସ୍ ନ୍ୟୁଜ): ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ବିଧାନସୌଧ ପରିସରରେ କୋଭିଡ଼୍ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପ୍ରକ୍ରିୟା ତିନ ଦିନି ଧରି ଅର୍ଥାତ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ବାଚସ୍ପତିଙ୍କ ସୂଚନା ମୁତାବକ ବିଧାୟକ ହୁଅନ୍ତୁ ଅବା କର୍ମଚାରୀ, କୋଭିଡ଼୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ ଯାଇ ବିଧାନସଭାକୁ ପ୍ରବେଶ ଅନୁମତି ମିଳିବ। ସମସ୍ତଙ୍କର ଏହି ତିନି ଦିନ ମଧ୍ୟରେ ଆରଟି ପିସିଆର ଟେଷ୍ଟ କରାଯିବ। କ୍ୟାପିଟାଲ୍ ହସ୍ପିଟାଲରୁ ଏଥିପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଟେଷ୍ଟିଂ କିଟ ଧରି ବିଧାନସଭା ପରିସରରେ କ୍ୟାମ୍ପ୍ ପକାଇଛନ୍ତି।

ଅଧିବେଶନର ପାଞ୍ଚ ଦିନ ପରେ ଅର୍ଥାତ୍ ଅକ୍ଟୋବର ୫ ତାରିଖରେ ପୁଣିଥରେ ସମସ୍ତ ସଦସ୍ୟଙ୍କର ଟେଷ୍ଟ କରାଯିବ। ଇତିମଧ୍ୟରେ ଯଦି କେହି ଅସୁସ୍ଥ ଅନୁଭବ କରନ୍ତି ତେବେ ତାଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବା ନେଇ ଯୋଜନା ହୋଇଛି। ସମସ୍ତ ସଦସ୍ୟ, ଅଧିକାରୀ ଏବଂ କର୍ମଚାରୀଙ୍କୁ ପ୍ରବେଶ ପୂର୍ବରୁ ଫେସ ଶିଲ୍ଡ, ମାସ୍କ, ହ୍ୟାଣ୍ଡ ଗ୍ଲୋଭ୍ସ ଏବଂ ସାନିଟାଇଜର ଯୋଗାଇ ଦିଆଯିବ। ଗୃହ ଭିତରେ ମଧ୍ୟ ସଦସ୍ୟଙ୍କ ବସିବା ସ୍ଥାନରେ କାଚ ଲଗାଯାଇ ସାମାଜିକ ଦୂରତା ରକ୍ଷା ବନ୍ଦୋବସ୍ତ ହୋଇଛି।