ଆକାଶ, ପ୍ରଦୀପଙ୍କ ଦ୍ୱାରା ଠକେଇର ଶିକାର ହୋଇଥିଲେ ଅଭିଯୋଗ କରନ୍ତୁ: କ୍ରାଇମବ୍ରାଞ୍ଚ ଏଡିଜି-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ନିଜକୁ ଟାଟା ମୋଟର୍ସର ଏମ୍‌ଡି କହି “ଆକାଶ ପାଠକ ବିପୁଳ ଟଙ୍କା ଠକେଇ କରିଛନ୍ତି। ବହୁ ଯୁବକ ଯୁବତୀଙ୍କଠାରୁ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟିଛନ୍ତି। ଏନେଇ ୬ ଜଣ ଅଭିଯୋଗକାରୀ ଏତଲା ଦେଇଥିବା ବେଳେ ତାହାକୁ ଭିତ୍ତି କରି ମାମଲା ରୁଜୁ ହୋଇଛି। ସେମାନଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ମଧ୍ୟ ଠକେଇର ଶିକାର ହୋଇଛନ୍ତି, ଆସି ରିପୋର୍ଟ କରନ୍ତୁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।” ଆଜି ଆୟୋଜିତ ପ୍ରେସମିଟରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

କେବଳ ସେତିକି ନୁହେଁ, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଇନଜାର୍ଚ ମ୍ୟାନେଜିଂ ଡାଇରେକ୍ଟର ଭାବେ ପରିଚୟ ଦେଇ କମ୍ପାନୀ ଓ ସାଧାରଣ ଲୋକଙ୍କୁ ଠକିଥିଲେ। ଏଥିନିମନ୍ତେ ସେ ଫେକ୍‌ ମେଲ ଆଇଡି, ଲୋଗୋ, ଫେକ୍‌ ଆଇକାର୍ଡ, ଭିଜିଟିଂ କାର୍ଡ ବ୍ୟବହାର କରୁଥିଲେ।

ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ଟାଟା ମୋଟର୍ସର ଏମ୍‌ଡି ଥିବା ପ୍ରଚାର କରୁଥିଲେ।ଏଣୁ ଚାକିରି ଆଶାୟୀମାନେ ଆକାଶ, ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କୁ ଟଙ୍କା ଦେଉଥିଲେ। ୬ ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ ଜଣ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛନ୍ତି। ଅନ୍ୟ ୪ ଜଣ ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଟଙ୍କା ଦେଇଛନ୍ତି।

ସେହିପରି ଟଙ୍କା ନେଇ ଆକାଶ ପାଠକ କେତେକ ଯୁବକଯୁବତୀଙ୍କୁ ଜାଲ ନିଯୁକ୍ତି ପତ୍ର ଓ ଅନଲାଇନ୍‌ ଟ୍ରେନିଂ ମଧ୍ୟ ଦେଇଥିଲେ। ଆକାଶ ଓ ପ୍ରଦୀପଙ୍କୁ ଅନେକ ଲୋକ ଟଙ୍କା ଦେଇଥିବା ଆକାଶଙ୍କ ପିଏ ଡେଭିଡ ପିଟର ମଧ୍ୟ କହିଛନ୍ତି। ତେଣୁ ଯେଉଁମାନେ ଏମାନଙ୍କ ଦ୍ୱାରା ଠକାମୀରେ ପଡ଼ିଛନ୍ତି, ରିପୋର୍ଟ କରନ୍ତୁ। ଅନଲାଇନ୍‌ରେ ଟ୍ରେନିଂ ଦେଉଥିଲେ। ଆମ ପାଖରେ ରିପୋର୍ଟ କରିଲେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଏଡିଜି।

ଏଠାରେ ସୂଚନାଥାଉକି ଉଭୟ ପାଠକ ବାପପୁଅ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଅଧିକ ପଚରାଉଚରା ନିମନ୍ତେ ଗତକାଲିଠୁ ଆକାଶଙ୍କୁ ପୁଲିସ୍‌ ୫ ଦିନିଆ ରିମାଣ୍ଡରେ ନେଇଛି।