ବାଙ୍କୀ: ଆଜି ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଜଣେ ବିଧବା ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ମହିଳା ଜଣକ ବୈଦେଶ୍ୱର ଗାଁର ସସ୍ମିତା ମାଝୀ ବୋଲି ପରିଚୟ ମିଳିଛି । ସେ ଦୀର୍ଘ ଦିନ ଧରି ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଭରଣପୋଷଣ ପ୍ରାପ୍ୟ ୨୦ ହଜାର ଟଙ୍କା ପାଇବା ଲାଗି ବାରମ୍ବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସେଠୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ । ମାତ୍ର ଲିଗାଲ ହେୟାର ସାର୍ଟିଫିକେଟରେ ତ୍ରୁଟି ରହିଥିବା ଦର୍ଶାଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ତାଙ୍କୁ ଫେରାଇ ଦେଉଥିଲେ ।
ତେଣୁ ସେ ଆଜି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଚାଲିଥିବା ସମୟରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଉପସ୍ଥିତ ପୁଲିସ ତାଙ୍କ ନିକଟରୁ ପେଟ୍ରୋଲ ବୋତଲ ଛଡାଇ ନେବା ସହ ଉଦ୍ଧାର କରିଥିଲେ । ଆଗାମୀ ଦିନରେ ତାଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ସେ ପୁନର୍ବାର ଆତ୍ମାହୁତି ଦେବେ ବୋଲି ସସ୍ମିତା କହିଛନ୍ତି ।