ଜାତୀୟ ଧାନ କୌଶଳ ଶିଳ୍ପ ନବସୃଜନ ସମ୍ମିଳନୀ

କଟକ ବିଦ୍ୟାଧରପୁର ସ୍ଥିତ କେନ୍ଦ୍ରୀୟ ଧାନ….

କଟକ : କଟକ ବିଦ୍ୟାଧରପୁର ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ଦ୍ୱାରା ଆଜି ଜାତୀୟ ଧାନ କୌଶଳ ଶିଳ୍ପ ନବସୃଜନ ସମ୍ମିଳନୀ ସଫଳତାର ସହ ଆୟୋଜନ ହୋଇଯାଇଛି । ଯାହା ଧାନ ଗବେଷଣା ଏବଂ ଶିଳ୍ପ କ୍ଷେତ୍ରରେ ସହଯୋଗ ଓ ସମନ୍ୱୟକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସୃଷ୍ଟି କରିଥିଲା । ଏହି ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭାରତୀୟ କୃଷି ଗବେଷଣା ପରିଷଦ ନୂଆଦିଲ୍ଲୀର ସହାୟକ ନିର୍ଦ୍ଦେଶକ ତଥା ବୌଦ୍ଧିକ ସମ୍ପତି ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳନାର ଡକ୍ଟର ନୀରୁ ଭୂଷଣ ଏବଂ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ କଟକର ନିର୍ଦ୍ଦେଶକ, ଡ଼ାଃ ଜି. ଏ. କେ. କୁମାର ଅଧ୍ୟକ୍ଷତା କରିଥିଲେ । ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ତାଙ୍କ ଭାଷଣରେ କୃଷକମାନଙ୍କ ପାଇଁ ନବ ସୃଜନକୁ ବ୍ୟବହାରିକ ସମାଧାନରେ ପରିଣତ କରିବା ପାଇଁ ଗବେଷଣା ପ୍ରତିଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ନିରନ୍ତର ସମର୍ଥନ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ସେ ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗୀ ମାନଙ୍କୁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଏବଂ ଧାନ କ୍ଷେତ୍ରରେ ସ୍ଥାୟୀ, କୃଷକ-ଅନୁକୂଳ ବିକାଶ ଦିଗରେ କାର୍ଯ୍ୟ କରିବାକୁ କୃଷକ ମାନଙ୍କୁ ଉତ୍ସାହିତ କରିଥିଲେ । ଗବେଷଣା ଓ ଶିଳ୍ପ ମଧ୍ୟରେ ଦୂରତାକୁ କମାଇ ନବୀନତା, ବ୍ୟବସାୟିକୀ କରଣ ଓ ରଣନୈତିକ ସହଯୋଗକୁ ପ୍ରୋତ୍ସାହନ ସମ୍ମିଳନୀର ଲକ୍ଷ୍ୟ ଥିଲା ।