ମାଟିରେ ମିଶିଲା ପଦ୍ମଶ୍ରୀ ସ୍ୱର୍ଗତ ପ୍ରକାଶ ରାଓଙ୍କ ଚା’ ଦୋକାନ

କଟକ: ମାଟିରେ ମିଶିଲା ପଦ୍ମଶ୍ରୀ ସ୍ୱର୍ଗତ ଡି ପ୍ରକାଶ ରାଓଙ୍କ ଚା’ ଦୋକାନ । ସିଏମସି ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ଏହି ଟି’ ଷ୍ଟଲରେ ବୁଲଡୋଜର ବୁଲାଇଛି । ଦୋକାନ ଭାଙ୍ଗି ରୁଜି ଯାଇଥିବା ବେଳେ ତାଙ୍କ ଅନ୍ତେ ଥିବା ଏହି ଶେଷ ସ୍ମୃତି ମାଟିରେ ମିଶି ଯାଇଛି । ସ୍ୱର୍ଗତ ରାଓଙ୍କ ପରିବାର ସିଏମସିର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ପାଖାପାଖି ୫୦ ବର୍ଷର ଚା’ ଦୋକାନକୁ ଚଳାଇ ସେ ଶତାଧିକ ଅନାଥ ଓ ବସ୍ତି ପିଲାଙ୍କ ପାଇଁ ଏକ ସ୍କୁଲ ନିର୍ମାଣ କରିଥିଲେ ।

ସମାଜସେବାରେ ସେ ସର୍ବଦା ଆଗକୁ ଥିଲେ । ଜଣେ ସାମାନ୍ୟ ଚା’ ଦୋକାନୀ ହୋଇ ସମାଜ ପ୍ରତି ଥିବା ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମାନୀତ କରାଯାଇଥିଲା । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲକୁ ସହାୟତା ଦିଆଯାଇଥିଲା । କିନ୍ତୁ ୨୦୨୧ରେ ତାଙ୍କର ପରଲୋକ ପରେ ଜିଲ୍ଲା ପ୍ରଶାସନ ଓ ସିଏମସି ତାଙ୍କ ସ୍ମୃତି ଓ ପରିବାରକୁ ଏକ ପ୍ରକାର ଅଣଦେଖା କରିଦେଇଛି । ସ୍କୁଲକୁ ଯାଉଥିବା ମଧ୍ୟାହ୍ନ ଭୋଜନ ବନ୍ଦ ଥିବା ବେଳେ ଝିଅ ଭାନୁପ୍ରିୟା ଚାକିରି ଛାଡ଼ି ସ୍କୁଲ ସମ୍ଭାଳିଛନ୍ତି ।