ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷାକୁ ଗୁରୁତ୍ୱ: ଦୁଇଦିନରେ ଯାଂଚ
କଟକ ଜିଲ୍ଲାର କିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିର୍ବାପନ ….
କଟକ: କଟକ ଜିଲ୍ଲାର କିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ନାହିଁ। ଯଦିଓ କଟକ ସହର ସିଟି ହସ୍ପିଟାଲ, ଶିଶୁଭବନ ଓ ଅନ୍ୟ ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିଛି; ସେଗୁଡିକ କେତେ କାର୍ଯ୍ୟକ୍ଷମ ସେ ବାବଦରେ କାହାରି ପାଖରେ ସୂଚନା ନାହିଁ। ତେଣୁ ଆଗାମୀ ଦୁଇଦିନ ଭିତରେ କଟକ ଜିଲ୍ଲାର ସମସ୍ତ ସହରାଂଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଗ୍ନି ନିରାପତା ବ୍ୟବସ୍ଥା ଯାଂଚ୍ ଓ ତଦାରଖ କରାଯିବ। କଟକ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ କମିଟି ସମୀକ୍ଷା ବୈଠକରେ ଏ ନିଷ୍ପତି ଗ୍ରହଣ କରାଯାଇଛି। ବ୍ୟବସ୍ଥା ଯାଂଚ୍ କରାଯିବା ପରେ ମାସେ ଭିତରେ ସହର ଓ ଗ୍ରାମାଂଚଳର ସବୁ ସରକାରୀ ହସ୍ପିଟାଲରେ ମକ୍ଡ୍ରିଲ୍ କରାଯିବ ବୋଲି ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି।
ଏସ୍ସିବିରେ ଅଗ୍ନିକାଣ୍ଡ ପରେ ଓଡିଶାର ବିଭିନ୍ନ ସରକାରୀ ହସ୍ପିଟାଲରେ ଅଗ୍ନି ନିରାପତା ବ୍ୟବସ୍ଥା ନିଶ୍ଚିତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଯେହେତୁ କଟକରେ ଏତେ ବଡ ଅଘଟଣ ଘଟିଛି ତେଣୁ ଅନ୍ୟ ହସ୍ପିଟାଲରେ ଯେଭଳି କୌଣସି ସମସ୍ୟା ନଉପୁଜିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି।
ଯେଉଁଠି ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି ସେଠାରେ ମକ୍ଡ୍ରିଲ୍ କରାଯିବ। ଯାହା ଫଳରେ ଅଗ୍ନି ବାବଦରେ ସଚେତନତା ସହ ସେଠାରେ ରହିଥିବା ଯନ୍ତ୍ରାଂଶ କାର୍ଯ୍ୟ କରିବାକୁ ଉପଯୋଗୀ କି ନାହିଁ ତାର ତଦାରଖ କରାଯାଇପାରିବ। ତେଣୁ ଏ ପ୍ରକ୍ରିୟା ଆସନ୍ତା ମାସେ ଭିତରେ ଶେଷ କରିବାକୁ ଯୋଜନା କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଶିଶୁ ଓ ମାତୃ ମୃତ୍ୟୁ ନେଇ କଟକ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ରହିଛି। ବିଶେଷ କରି ସାଲେପୁର ଓ ଟାଙ୍ଗୀ ଅଂଚଳରେ ଅଧିକ ସମସ୍ୟା ରହିଛି। ଏ ନେଇ ବୈଠକରେ ଉଦ୍ବେଗ ପ୍ରକାଶ କରାଯାଇଥିଲା। ମାତୃ ଅପପୁଷ୍ଟି ସହିତ ନିୟମିତ ଚେକ୍ଅପ୍ କରା ନଯିବା ଦ୍ୱାରା ମା’ ଓ ଗର୍ଭସ୍ଥ ଭ୍ରୁଣ ବିପଦରେ ପଡୁଛନ୍ତି। ଗର୍ଭଧାରଣ କରିବାର ସମୟ ଭିତରେ ମା’ର ଓଜନ ସ୍ୱାଭାବିକଠାରୁ ୧୨ରୁ ୧୩ କେଜି ପର୍ଯ୍ୟନ୍ତ ବୃଦ୍ଧି ହେବା ଜରୁରୀ।