ଅତି ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ‘ମୋକା’

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁଠି ପ୍ରସ୍ତୁତି ଜୋରଦାର କରାଯାଉଛି । ଏହାରି ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ବଳ ଗୋଟାଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତିଭୀଷଣ ବାତ୍ୟାରେ ପରିଣତ ହୋଇଛି । ଆଜି ସକାଳ ୫ଟା ୩୦ରେ ପର୍ୟ୍ୟବେକ୍ଷଣ ଅନୁଯାୟୀ ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୯ କି.ମି ବେଗରେ ଏହା ଉତ୍ତର ଆଡ଼କୁ ଗତି କରୁଛି । ପୋର୍ଟବ୍ଲେୟାର ଠାରୁ ଏହା ୫୨୦ କିଲୋମିଟର ଦୂରରେ ଥିବା ବେଳେ ବାଂଲାଦେଶ ଉପକୂଳ ଠାରୁ ୧୦୧୦ କିଲୋମିଟର ଏବଂ ମିଆଁମାର ଠାରୁ ୯୩୦ କିଲୋମିଟର ଦୂରରେ ସକ୍ରିୟ ରହିଛି ।

ଏହା ଧୀରେ ଧୀରେ ଦିଗ ପରିବର୍ତ୍ତନ କରି ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ଏକ ଅତି ଭୀଷଣ ବାତ୍ୟା ଭାବେ ୧୪ ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ମିଆଁମାରର ସ୍ୱଇଟେ ନିକଟରେ ପବନ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରରେ, ଏପରିକି କିଛି ଜାଗାରେ ୧୭୫ କିଲୋମିଟର ବେଗରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।