ଭୁବନେଶ୍ବର (ଏସ୍ ନ୍ଯୁଜ): ବିପଦମୁକ୍ତ ହୋଇଛି ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ। ଏନେଇ ବୋଲି ଟୁଇଟ୍ କରି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ବିଳମ୍ବିତ ରାତିରେ ବାକିଥିବା ଗ୍ୟାସକୁ ବାହାର କରାଯାଇଛି । ଆଇଓସିଏଲ୍ ଅଧିକାରୀ ଫାଟିଥିବା ଗ୍ୟାସ ଟାଙ୍କିକୁ ଖାଲି କରିଦେଇଛନ୍ତି ।
ସୂଚନାଯୋଗ୍ୟ, ବୁଧବାର ଅପରାହ୍ନ ପ୍ରାୟ ୧ଟା । ହଠାତ୍ ଥରିଉଠିଲା ରାଜଧାନୀର। କାରଣ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା।ଯେଉଁ ବିସ୍ଫୋରଣର ଶବ୍ଦ ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭାଯାଇଥିଲା। ଇଣ୍ଡିଆନ୍ ପେଟ୍ରୋଲ ପମ୍ପରୁ ହୁତୁହୁତୁ ହୋଇ ୨୦୦ ଫୁଟ ଉଚ୍ଚ ଯାଏ ନିଆଁ ଉପରକୁ ଉଠି ଜଳୁଛି। ଚିତ୍କାରରେ କମ୍ପିଉଠୁଥିଲା ସ୍ଥାନୀୟ ଅଞ୍ଚଳ। କିଛି ଲୋକ କ୍ଷତବିକ୍ଷତ ହୋଇ ରାସ୍ତାରେ ଦୌଡ଼ିବାରେ ଲାଗିଥିଲେ। ରାସ୍ତାରେ ଲୋକଙ୍କ ଶରୀରର ମାଂସ ଖଣ୍ଡ ଛିଟିକି ପଡ଼ିଥିଲା। କାହା ହାତରୁ ରକ୍ତ ଝରୁଥିଲା ତ ଆଉ କିଏ ଗୁରୁତର ଅବସ୍ଥାରେ ଥିଲେ। ପେଟ୍ରୋଲ ପମ୍ପରେ ଥିବା ଏଲ୍ପିଜି ଟାଙ୍କି ବିସ୍ଫୋରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଜଣ ଅତି ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିଲେ। ପାଖାପାଖି ୩୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି।
ସେପଟେ ଦୁଇ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ଆଜି ଭୋର ସମୟରେ ମୃତ୍ୟୁ ଘଟିଛି। ଏନେଇ ଏସସିବି ମେଡକାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆସିକାର ରଘୁନାଥନଗର ପଲ୍ଲୀ ଅଞ୍ଚଳର ସତ୍ୟ ନାୟକ (୩୭)। ସତ୍ୟଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲାବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାଛଡ଼ା ଉତ୍ତର ପ୍ରଦେଶ ଲକ୍ଷ୍ନୌର ରିପୁ ଦାମନ(୩୨ଙ୍କୁ ଟ୍ରମା ଆଇସିୟୁରେ ରଖାଯାଇ ଚିକିତ୍ସା ଜାରି ରହିଛି।