ମୁଁ ନୁହେଁ ପୀଡିତାଙ୍କୁ ମାରିଛନ୍ତି ତାଙ୍କ ମାଆ ଓ ଭାଇ: ସନ୍ଦୀପ

ହାଥରସ: ଭିନ୍ନ ମୋଡ଼ ନେଇଛି ହାଥରସ ଗଣଦୁଷ୍କର୍ମ ମାମଲା । ପୀଡ଼ିତ‌ାଙ୍କ ମୃତ୍ୟୁ ପାଇଁ ତାଙ୍କ ମାଆ ଓ ଭାଇ ଦାୟୀ ବୋଲି ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ତେବେ ମାମଲାରେ ଗିରଫ ହୋଇ ଜେଲରେଥିବା ୪ ଜଣ ଯାକ ଅଭିଯୁକ୍ତ ସନ୍ଦୀପ, ରାମୁ, ଲବକୁଶ ଏବଂ ରବି ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି ଉତ୍ତରପ୍ରଦେଶର ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ଙ୍କ ନିକଟକୁ ଚିଠି ଲେଖିଛନ୍ତି। ପୀଡ଼ିତାଙ୍କ ପରିବାର ଲୋକ ସେମାନଙ୍କୁ ଅଯଥାରେ ବଦନାମ କରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରି କହିଛନ୍ତି କି ୧୯ ବର୍ଷୀୟା ଯୁବତୀଙ୍କ ସହ ଘଟିଥିବା ଅଘଟଣ‌ରେ ସେ ସଂପୃକ୍ତ ନୁହଁନ୍ତି। ସନ୍ଦୀପ ଆହୁରି କହିଛନ୍ତି ଯେ ସେ ପୀଡିତାଙ୍କୁ ପୂର୍ବରୁ ଜାଣିଥିଲେ ଓ ତାଙ୍କ ସହ ଯୋଗାଯୋଗରେ ବି ଥିଲେ। ମାତ୍ର ସେ କୌଣସି ପ୍ରକାରର ଅପରାଧମୂଳକ କାର୍ଯ୍ୟ କରିନାହାନ୍ତି। ପୀଡ଼ିତ‌ାଙ୍କ ମୃତ୍ୟୁ ପାଇଁ ତାଙ୍କ ମାଆ ଓ ଭାଇ ଦାୟୀ।

ପୂର୍ବରୁ ଜାଣିବାକୁ ମଧ୍ୟ ମିଳିଥିଲା ଯେ, ପୀଡ଼ିତାଙ୍କ ଭାଇ ଓ ମୁଖ୍ୟ ଅଭିଯୁକ୍ତ ଦୁହେଁ ବନ୍ଧୁ ଥିଲେ ଓ ସେମାନେ ପରସ୍ପର ସହ ଦୀର୍ଘ ସମୟ ଧରି ଫୋନ୍‌ରେ କଥା ମଧ୍ୟ ହୋଇଥିଲେ। ସନ୍ଦୀପ ପୀଡ଼ିତାଙ୍କ ପରିବାରର ଅନ୍ୟମାନଙ୍କ ସହ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଫୋନ୍‌ ନମ୍ବରରୁ କଥା ହେଉଥିଲେ। କଲ୍‌ ଡାଟାରୁ ଜାଣିବାକୁ ମିଳିଥିଲା ଯେ ୨୦୧୯ ଅ‌‌କ୍ଟୋବରରୁ ୨୦୨୦ ମାର୍ଚ ମଧ୍ୟରେ ସନ୍ଦୀପ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ପ୍ରାୟ ପାଞ୍ଚ ଘଣ୍ଟା ବାର୍ତ୍ତାଳାପ କରିଥିଲେ। ପୀଡ଼ିତାଙ୍କ ଭାଇ କିନ୍ତୁ ମୁଖ୍ୟ ଅଭିଯୁକ୍ତ ସନ୍ଦୀପଙ୍କ ସହ ଫୋନରେ କଥା ହେଉଥିବା କଥା ଅସ୍ୱୀକାର କରିଥିଲେ।