ଓଡ଼ିଶା ଐତିହ୍ୟକୁ ସମୃଦ୍ଧ କରୁଛି ଧଉଳି–କଳିଙ୍ଗ ମହୋତ୍ସବ

ଧଉଳି –କଳିଙ୍ଗ ମହୋତ୍ସବ କଳାକାର ଏବଂ ଦର୍ଶକମାନଙ୍କୁ ….

ଭୁବନେଶ୍ୱର: ଧଉଳି –କଳିଙ୍ଗ ମହୋତ୍ସବ କଳାକାର ଏବଂ ଦର୍ଶକମାନଙ୍କୁ ସମନ୍ୱୟର ଭାବନାରେ ଏକତ୍ର କରି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର–ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଏହି ମହୋତ୍ସବ କଳା ଓ ସଂସ୍କୃତିର ଶକ୍ତିକୁ ଉଜାଗର କରି ଶାନ୍ତି ଏବଂ ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହନ ଯୋଗାଉଛି। ଧଉଳି–କଳିଙ୍ଗ ମହୋତ୍ସବର ଉଦଯାପନୀ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏହା କହିଛନ୍ତି।

ଏହି ଅବସରରେ ଅନନ୍ତ ମହାପାତ୍ରଙ୍କୁ ନାଟକ କ୍ଷେତ୍ରରେ ତାଙ୍କର ମହନୀୟ ଅବଦାନ ପାଇଁ ‘ବୁଦ୍ଧ ସମ୍ମାନ’ ରାଜ୍ୟପାଳ ପ୍ରଦାନ କରିଥିଲେ। ସେହିପରି ପୂର୍ବତନ ଭାରତୀୟ କୂଟନୀତିଜ୍ଞ ଏବଂ ଭାରତୀୟ ପରଫର୍ମିଙ୍ଗ ଆର୍ଟ’ର ଜଣେ ପ୍ରମୁଖ ପୃଷ୍ଠପୋଷକ ଲଳିତ୍‌ ମାନସିଂହଙ୍କୁ ‘ସ୍ୱର୍ଣ୍ଣ ସ୍ମାରକୀ ସମ୍ମାନ’ ଦ୍ୱାରା ସମ୍ମାନିତ କରିଥିଲେ। ରାଜ୍ୟପାଳ ମହୋତ୍ସବର ଶେଷ ପର୍ଯ୍ୟାୟରେ ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସେକ୍ରେଟାରୀ ଡ. ଅରୁଣା ମହାନ୍ତି ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ।