ବଦଳିବ ‘ଡିପିଆର’: ମିଶିବ ପାରାଦୀପ, ନବୀନ ରୂପରେ ମେଟ୍ରୋ ରେଳ
କ୍ଷମତା ହସ୍ତାନ୍ତର ହେବା ପରେ ମେଟ୍ରୋ କଳେବର ବଦଳିବାକୁ ….
ଭୁବନେଶ୍ୱର: କ୍ଷମତା ହସ୍ତାନ୍ତର ହେବା ପରେ ମେଟ୍ରୋ କଳେବର ବଦଳିବାକୁ ଲାଗିଛି। ଦୀର୍ଘଦିନ ଧରି ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପ କାର୍ଯ୍ୟ ଅନିଶ୍ଚିତତା ଭିତରେ ରହିଛି। ଲୋକେ ଆଶା ଓ ଆଶଙ୍କାରେ ରହିଥିବା ବେଳେ ରାଜ୍ୟ ସରକାର ମଧ୍ୟ ବ୍ୟାକ୍ଫୁଟ୍ରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସରକାରୀ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଖୁବ୍ ଶୀଘ୍ର ମେଟ୍ରୋ ରେଳ ପ୍ରକଳ୍ପ ନୂତନ ରୂପରେ ଆସିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣାପଡ଼ିଛି।
ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ‘ଡିପିଆର୍’କୁ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଏହା କେବଳ ଭୁବନେଶ୍ୱର-କଟକ-ପୁରୀ ମଧ୍ୟରେ ଗଡ଼ିବ ବୋଲି ପ୍ରସ୍ତାବ ରହିଥିଲା। ପୂର୍ବ ସରକାର ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ‘ଡିପିଆର୍’ ପ୍ରସ୍ତୁତ କରିଥିଲେ ସେଥିରେ ବହୁତ କିଛି ପରିବର୍ତନ କରାଯିବ। ଏହାକୁ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ଯୋଡ଼ିବା ପାଇଁ ସରକାରୀ ସ୍ତରରେ ଏକପ୍ରକାର ନିଷ୍ପତି ହୋଇଛି। ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରୂପରେଖ ଜଣାପଡ଼ିବ। ତେବେ ପୂର୍ବ ସରକାର ସମୟରେ ୬୪ କି.ମି.ର ମେଟ୍ରୋ ରେଳପ୍ରକଳ୍ପ ପାଇଁ ୬ ହଜାର ୨୫୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏହାକୁ ନେଇ ପୂର୍ବ ସରକାର ତରବରିଆ ଭାବେ ଏହାକୁ କ୍ୟାବିନେଟ୍ରେ ପାରିତ କରିଥିଲେ। ଏହାପରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହିତ ରାଜ୍ୟ ସରକାରଙ୍କ ଏକ ବୁଝାମଣା ହୋଇଥିଲା। କଟକଠାରୁ ତ୍ରିଶୂଳିଆ-ବାରଙ୍ଗ ଦେଇ ଖୋର୍ଦ୍ଧା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ପ୍ରକଳ୍ପ ହେବାକୁ ଯୋଜନା ରହିଥିଲା। ମାତ୍ର ବର୍ତମାନ ପରିବର୍ତନ ହୋଇ ଏହି ଡିପିଆର୍ରେ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଖୋର୍ଦ୍ଧା ରିଜିଅନକୁ ଯୋଡ଼ିବା ପାଇଁ ପ୍ରସ୍ତାବ ରହିଛି। ଏହାଦ୍ୱାରା ରାଜ୍ୟର ବିକାଶ ତ୍ୱରାନ୍ୱିତ ହେବ। ରାଜ୍ୟ ସରକାରଙ୍କ ଭିଜନ-୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ମେଟ୍ରୋ ରେଳପ୍ରକଳ୍ପକୁ ଏହିସବୁ ଅଂଚଳକୁ ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରହିଛି। ଏହାସହିତ କେନ୍ଦ୍ର ସରକାରଙ୍କ ସହିତ ମିଶି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବାକୁ ରହିଛି, ଯାହାଫଳରେ ରାଜ୍ୟ ଉପରେ ଏତେବଡ଼ ଆର୍ଥିକ ବୋଝ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏହାର ରୂପରେଖ ସ୍ପଷ୍ଟ ହେବ ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି।
ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯିବାକୁ ଥିବା ଏହି ମେଟ୍ରୋ ରେଳପ୍ରକଳ୍ପ ଯଦି ପାରାଦୀପ ଓ ରାଉରକେଲା ପର୍ଯ୍ୟନ୍ତ ଗଡ଼ିବ ତାହା କେତେଦୂର ଆର୍ଥିକ ଦୃଷ୍ଟିକୋଣରୁ ଉଚିତ ହେବ ତାକୁ ନେଇ ସରକାର କେତେଦୂର ଚିନ୍ତା କରୁଛନ୍ତି ତାହା ଦେଖିବାର ରହିଛି।