ଟୋକନ୍ ଅବଧି ଶେଷ ହୋଇ ଥିଲେ ମଧ୍ୟ ଧାନ କିଣା ହୋଇ ପାରୁନି

ସମବାୟ ସମିତିରେ ତାଲା ପକାଇ ପ୍ରତିବାଦ ସହ ଆନ୍ଦୋଳନରେ ଚାଷୀ। 

ବାଲେଶ୍ୱର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟାକୁ ୨ ମାସ ରୁ ……

ଜଳେଶ୍ୱର : – ବାଲେଶ୍ୱର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟାକୁ ୨ ମାସ ରୁ ଅଧିକ ସମୟ ବିତିଗଲାଣି। ରାଜ୍ୟ ସରକାର ଧାନ କିଣା ପ୍ରକ୍ରିୟା ମାର୍ଚ୍ଚ ୩୧ ତାରିଖ ଶେଷ ହେବାକୁ ଯାଇଥିଲା ବେଳେ ଏ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ହୋଇ ପାରୁନାହିଁ।ଏପରିକି ଚାଷୀଙ୍କ ଟୋକନ ଅବଧି ସରିବା ପରେ ମଧ୍ୟ ଚାଷୀଙ୍କ ଧାନ କିଣିବାରେ ପ୍ରଶାସନ ଫେଲ ମାରିଥିବା ଦେଖା ଯାଇଛି।

ବିଭିନ୍ନ ମଣ୍ଡିରେ ଧାନ କିଣା ଯାଇ ନ ଥିବାରୁ ଏବଂ ଟୋକନ ଅବଧି ଶେଷ ହେବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଖରିଫ ଋତୁରେ ପଞ୍ଜୀକୃତ ହୋଇଥିବା ଚାଷୀ ଧାନ ବିକ୍ରି କରି ପାରି ନ ଥିବା ବେଳେ ପୁଣି ଥରେ ସରକାରଙ୍କ ରବି ଋତୁ ପାଇଁ ଚାଷୀ ପଞ୍ଜିକରଣ ପାଇଁ ଆବେଦନ ପତ୍ର ବଣ୍ଟା ଯିବାକୁ ନେଇ ଖୁଆଡ଼ ସମବାୟ ସମିତିରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି।ଏହି ସମିତିରେ ମୋଟ ୪୬୪ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ କରିଥଲେ ମଧ୍ୟ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ୨୫୦ ଜଣ ଚାଷୀ ଧାନ ବିକ୍ରି କରି ପାରିଛନ୍ତି।

ବାକି ୨୦୦ ଚାଷୀ ଏ ପର୍ଯ୍ୟନ୍ତ ଧାନ ବିକ୍ରି କରିବାରୁ ବଞ୍ଚିତ ରହିଛନ୍ତି, ଯାହାକୁ ନେଇ ଶନିବାର ସକାଳ ୧୧ ଘଟିକା ସମୟରେ ରବି ଋତୁ ପଞ୍ଜିକରଣ ଫର୍ମ ପ୍ରଦାନ ବେଳେ ଚାଷୀ ସଞ୍ଜୟ ପାତ୍ର, ସତ୍ୟବାନ ଚକ୍ରବର୍ତ୍ତୀ, ମିହିର ସାହୁ, ଶିଶିର ସାହୁ, ହରିଶ ଚନ୍ଦ୍ର ଘୋଷ, ସମୀର ସାହୁ, ଉମାକାନ୍ତ ପାତ୍ର, ମଧୁସୂଦନ ସାହୁ, ପଞ୍ଚାନନ ବେହେରା, ଅଜୟ କୁମାର ମଲ୍ଲିକ ପ୍ରମୁଖ ଅନେକ ଚାଷୀ ସମିତି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଥିଲେ ଓ ସମିତିର ସଂପାଦକ ମୋନାଜ କୁମାର ଜେନା ଓ ସଭାପତି ବୀରକିଶୋର ଦାସଙ୍କ ଉପସ୍ଥିତିରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଯେ ପର୍ଯ୍ୟନ୍ତ ଖରିଫ ଋତୁର ଧାନ କିଣା ସମ୍ପୁର୍ଣ୍ଣ ହୋଇ ନାହିଁ ସେ ପର୍ଯ୍ୟନ୍ତ ରବି ଋତୁପାଇଁ ପଞ୍ଜିକରଣ ଫର୍ମ ପ୍ରଦାନ କରାଯାଇ ପାରିବ ନାହିଁ କହି ଜିଦରେ ଅଟଳ ରହିଥିଲେ ଚାଷୀ।ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଆମେ ଖୁବ୍ ଶୀଘ୍ର ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବାର ବ୍ୟବସ୍ଥା କରିବୁ।