ଭୁବନେଶ୍ୱର (ଏସ୍ ନ୍ୟୁଜ): ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲ୍ ପଠାଇଥିଲେ ଥାନା ଅଧିକାରୀ । ଆଉ ଏହି ମିଛ ମାମଲା ଏବେ ପୁଲିସ୍କୁ ମହଙ୍ଗା ପଡ଼ିଲା । ଏନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ୫ ଲକ୍ଷ ଟଙ୍କା ତଣ୍ଡ ଗଣିବେ ଥାନା ଅଧିକାରୀ । ବରଗଡ଼ ପାଇକମାଳରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ସବୁଠି ଚର୍ଚା ଚାଲିଛି ।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ପାଇକମାଳ ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଗିରଫ ଜେଲ୍ ପଠାଇଥିଲା ପୁଲିସ୍। ହେଲେ ୨୦୧୮ରେ ସଂପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ OHRCଙ୍କ ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ୨ ଜଣ ବ୍ୟକ୍ତି । ମାମଲାର ବିଚାର କରି ସେମାନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ । ପ୍ରତ୍ୟେକଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ ଏହି ମାମଲାର ତଦନ୍ତ କରିଥିବା ଥାନା ଅଧିକାରୀ । କ୍ଷତିପୂରଣ ଆଦାୟ ନେଇ ରାଜ୍ୟ ଗୃହ ବିଭାଗକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।ଆସନ୍ତା ୨ ମାସ ମଧ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କମିଶନଙ୍କ ଆଦେଶ ଦେଇଛନ୍ତି ।