ଭୁବନେଶ୍ୱର : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜୟ ଶଙ୍କର ଦାସଙ୍କୁ ବିଜେଡି ଦଳୀୟ ପ୍ରାର୍ଥୀ କରିଛି। ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ହେଉଛନ୍ତି, ବିଜୟ ଶଙ୍କର । ଗତ କିଛି ବର୍ଷପୂର୍ବେ ୧୦ମ ଶ୍ରେଣୀ ମାର୍କ ଜାଲିଆତି ମାମଲାକୁ ନେଇ ଉଭୟ ବାପ-ପୁଅ ରାଜ୍ୟ ସାରା ଚର୍ଚ୍ଚାର ବିଷୟ ପାଲଟିଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ ଦେବା ପରେ ଜାଲିଆତି ମାମଲାକୁ ନିର୍ବାଚନୀ ମୁଦ୍ଦା କରିଛନ୍ତି ବିରୋଧୀ । ଦଳରେ ଅନେକ ଅଭିଜ୍ଞ ନେତା ଥାଉ ଥାଉ ତାଙ୍କୁ ଟିକେଟ ଦେବାକୁ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଦଳୀୟ ନେତାଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏହି ମାମଲାରେ ବିଷ୍ଣୁ ଦାସଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ୨୦୦୭ ସେପ୍ଟେମ୍ବର ୮ରେ ମାର୍କସିଟ୍ ଜାଲିଆତି ଘଟଣାରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା। ୨୦୦୬-୨୦୦୭ ଶିକ୍ଷାବର୍ଷରେ ବିଜୟ ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେତେବେଳ ତାଙ୍କ ବାପା ବିଷ୍ଣୁ ଦାସ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଥିଲେ, ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ତାଙ୍କ ଅଧୀନରେ ହିଁ ଥିଲା।

ବିଜୟଙ୍କ ମାର୍କ ଅବିଶ୍ୱସନୀୟ ଭାବରେ ବୃଦ୍ଧି କରାଯାଇଥିଲା। ପରୀକ୍ଷାରେ ବିଜୟ ମାତ୍ର ୪୭୮ ମାର୍କ ରଖିଥିବା ବେଳେ ଏହାକୁ ୬୦୨କୁ ବଢ଼ାଇ ଦିଆଯାଇଥିଲା। ଅଭିଯୋଗ ମୁତାବକ, ଓଡ଼ିଆରେ ତାଙ୍କର ୩୯ ମାର୍କ ଥିବା ବେଳେ ଏହାକୁ ୮୯ କରିଦିଆଯାଇଥିଲା। ଇଂରାଜୀରେ ୫୦ ବଦଳରେ ୮୦, ଗଣିତରେ ୪୦ ବଦଳରେ ୬୦, ବିଜ୍ଞାନରେ ୪୦ ବଦଳରେ ୫୦ ଓ ସାମାଜିକ ବିଜ୍ଞାନର ୪୫କୁ ୫୪ କରିଦିଆଯାଇଥିଲା।
ଏଭଳି ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା। ଫଳରେ ଅଗଷ୍ଟରେ ନବୀନ ପଟ୍ଟନାୟକ ସରକାରରୁ ବିଷ୍ଣୁ ଦାସଙ୍କୁ ହଟାଇ ଦିଆଯାଇଥିଲା। ଏହାର ଗୋଟିଏ ମାସ ପରେ ପୁଅ ବିଜୟଙ୍କ ସମେତ ୮ ଜଣ ବିଏସଇ କର୍ମଚାରୀଙ୍କ ବିରୋଧରେ ଠକେଇ ଓ ମିଥ୍ୟା କାଗଜପତ୍ର ପ୍ରସ୍ତୁତ ଅଭିଯୋଗରେ ଧାରା ୪୬୪, ୪୬୫, ୪୬୮, ୪୭୧, ୪୭୪ ଓ ୧୨୦ (ବି) ଲଗାଇ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା।