ଭୁବନେଶ୍ୱର,(ଏସ୍ ନ୍ୟୁଜ): ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶିଳା ଦେବୀଙ୍କ ପରଲୋକ ଘଟିଛି । ସେ ଗତ ନଭେମ୍ବର ୧ ତାରିଖରେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ଘରୋଇ ହସ୍ପିଟାଲରୁ ପ୍ରଥମେ ରାଜଭବନକୁ ଅଣାଯିବ । ସେଠାରୁ ପୁରୀ ନିଆଯାଇ ଶେଷକୃତ କରାଯିବ ବୋଲି ସୂଚନା ମିଳିଛି । କୋଭିଡ କଟକଣା ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ରାଜ୍ୟର ପ୍ରଥମ ମହିଳାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ରାଜ୍ୟାପଳଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ସେ ଜଣେ ଧର୍ମପ୍ରାଣ ଓ ପରୋପକାରୀ ମହିଳା ଥିଲେ । ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଓ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେହିପରି ମଧ୍ୟ ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟାଗରେ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜୀଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗକୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ । ଅମର ଆତ୍ମାର ସଦଗତି କାମନା କରୁଛି ।
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।